ନବୀନଙ୍କ ଭୋଟ୍ ବ୍ୟାଙ୍କ୍ ! ରାଜଧାନୀରେ ସରକାରଙ୍କ ମହିଳା ମହାସମାବେଶ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟରେ ମହିଳାମାନଙ୍କ ରୋଜଗାର ଦୁଇଗୁଣା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳା ସମାବେଶରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଓ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତି ଅବସରରେ ଏହି ସମାବେଶର ଆୟୋଜନ କରାଯାଇଥିଲା ।

ଗତ ନିର୍ବାଚନ ସମୟରେ ସ୍ୱଂୟ ସହାୟକ ଗୋଷ୍ଠୀଗୁଡିକୁ ୧ ପ୍ରତିଶତ ସୁଧରେ ଋଣ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ନବୀନ । ଏହାକୁ ପୂରଣ କରାଯାଇଛି । ଏସଏଚଜି ଗୁଡିକର କ୍ରେଡିଟ ଲିଙ୍କେଜ ୫ଶହ କୋଟିରେ ପହଂଚିଛି । ଏହାକୁ ୧ ହଜାର କୋଟିକୁ ବୃଦ୍ଧି କରାଯିବ । ସ୍ୱଂୟ ସହାୟକ ଗୋଷ୍ଠୀଗୁଡିକର ଅର୍ଥନୈତିକ କାରବାର ବଢିଲେ ମାଆ ମାନଙ୍କର ରୋଜଗାର ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆମ ସଂସ୍କୃତିରେ ମାଆ ଓ ମହିଳା ମାନଙ୍କ ସ୍ଥାନ ଉଚ୍ଚରେ । ତେଣୁ ୨୦୦୦ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଗାଁଗାଁରେ ପରିବର୍ତନର ସାରଥୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମହିଳାଙ୍କ ଉନ୍ନତି ପାଇଁ ବିଜୁ ବାବୁଙ୍କ ସ୍ୱପ୍ନକୁ ରାଜ୍ୟ ସରକାର ପୂରଣ କରିଥିବା ସେ ଦମ୍ଭୋକ୍ତ କରିଛନ୍ତି ।