ବଦଳିନପାରେ ଇତିହାସ,ବାଜି ମାରିପାରେ ବିଜେଡି? ବିଜେଡିର ଗଡ ବଞ୍ଚାଇ ପାରନ୍ତି ଅନୁଭବ, ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ଆସିଲା ବଡ ଖବର ।

4,267

କନକ ବ୍ୟୁରୋ : କେନ୍ଦ୍ରାପଡା ନିର୍ବାଚନ ଇତିହାସର ପୁଣିଥରେ ପୁନରାବୃତ୍ତି ଦେଖିବାକୁ ମିଳିପାରେ । ଅଣକଂଗ୍ରେସ ଓ ଅଣବିଜେପି ନିର୍ବାଚନମଣ୍ଡଳୀର ଟ୍ୟାଗ୍ ହାସଲ କରିଥିବା କେନ୍ଦ୍ରାପଡାକୁ ପୁଣିଥରେ ନିଜ ଦଖଲକୁ ନେଇପାରେ ବିଜେଡି । ସମ୍ବାଦ-କନକ ପକ୍ଷରୁ ରାଜ୍ୟ ଇତିହାସର ସବୁଠୁ ବଡ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, କେନ୍ଦ୍ରାପଡାରେ ଅଭିଜ୍ଞ ବୈଜୟନ୍ତଙ୍କୁ ନିଜର ପ୍ରଥମ ଫାଇଟରେ ମାତ୍ ଦେଇପାରନ୍ତି ଅନୁଭବ । ବିଜେଡି ଗଠନ ପରଠାରୁ ଦଳର ଦଖଲରେ ରହି ଆସିଛି କେନ୍ଦ୍ରାପଡା । ଚଳିତଥର ଏହି ଆସନ ଉପରେ ସମସ୍ତଙ୍କର ଫୋକସ ରହିଥିବା ବେଳେ ବୁଥ ବାହୁଡା ମତ ବିଜେଡି ପ୍ରାର୍ଥୀ ଅନୁଭବଙ୍କ ସପକ୍ଷରେ ଯାଉଥିବା ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଲୋକସଭାରେ ବ୍ୟତୀତ ଏହା ଅଧୀନରେ ଆସୁଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ୬ଟି ଆସନରେ ନିର୍ବାଚନ ହୋଇଥିବା ବେଳେ ପାଟକୁରା ଆସନରେ ନିର୍ବାଚନ ହୋଇନାହିଁ । ତେବେ ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଥିବା ବୁଥ୍ ଫେରନ୍ତା ମତ ଅନୁଯାୟୀ, ଚଳିତ ନିର୍ବାଚନରେ ବିଜେଡି କେନ୍ଦ୍ରାପଡାରେ ଫାଇଦାରେ ରହିବ । ୬ଟି ଆସନରୁ ୫ଟିରେ ବିଜେଡିର ବିଜୟ ସମ୍ଭାବନା ରହିଥିବା ବେଳେ କଂଗ୍ରେସକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ । ସେହିଭଳି ବିଜେପି ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନପାରେ ବୋଲି ଏକଜିଟ୍ ପୋଲ ସର୍ଭେ ରିପୋର୍ଟ କହୁଛି ।

୫ ବର୍ଷ ପରେ ସାଲେପୁରରେ ପୁଣିଥରେ କମବ୍ୟାକ୍ କରିପାରେ ବିଜେଡି । ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଥିବା ସାଲେପୁର ଆସନକୁ ବିଜେଡି ନିଜ ଦଖଲକୁ ନେଇପାରେ ବୋଲି ବୁଥ୍ ଫେରନ୍ତା ମତଦାତା ନିଜ ମତ ରଖିଛନ୍ତି । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, କଂଗ୍ରେସରୁ ବିଜେପି ଶିବିରକୁ ଏଣ୍ଟ୍ରି ମାରିଥିବା ପ୍ରକାଶ ବେହେରାଙ୍କ ବଦଳରେ ବିଜେଡିର ପ୍ରଶାନ୍ତ ବେହେରା ଭୋଟରଙ୍କ ଭରସା ଜିତିବାରେ ସକ୍ଷମ ହୋଇଛନ୍ତି ।

ମାହାଙ୍ଗା ମହାଲଢେଇରେ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ଫ୍ରଣ୍ଟଫୁଟରେ ରହିଛି ବିଜେଡି । ବିଜେପିର ସାରଦା ପ୍ରଧାନ ଓ କଂଗ୍ରେସର ଦେବେନ୍ଦ୍ର ସାହୁଙ୍କୁ ମାତ୍ ଦେଇ ୫ମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇପାରନ୍ତି ବିଜେଡିର ପ୍ରତାପ ଜେନା । ବୁଥ ବାହୁଡା ମତରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି ।

କେନ୍ଦ୍ରାପଡାରେ ବିଜେଡିର ହ୍ୟାଟ୍ରିକ ବିଜୟ ସ୍ୱପ୍ନ ଅଧାରେ ରହିପାରେ । ବିଜେଡିର ବିଜୟରଥରେ ବ୍ରେକ ଲଗାଇ ପୁଣିଥରେ ଏହି ଆସନରେ ‘ହାତ’ ଉଠାଇବ କଂଗ୍ରେସ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, କେନ୍ଦ୍ରାପଡା ବିଧାନସଭା ଆସନର ଫଳାଫଳ ଦୀର୍ଘ ୧୯ ବର୍ଷ ପରେ ପୁଣିଥରେ ବିଧାନସଭାକୁ ଗଣେଶ୍ୱରଙ୍କ ଫେରିବା ପାଇଁ ବାଟ କାଢିପାରେ ।

ବୁଥ୍ ବାହୁଡା ମତ ଅନୁଯାୟୀ, ଆଳିରେ ୫ ବର୍ଷର ବ୍ରେକ ପରେ କମବ୍ୟାକ୍ କରିପାରେ ବିଜେଡି । ପୁଣିଥରେ ପ୍ରତାପଙ୍କ ହାତକୁ ଆସିପାରେ ଆଳିର ଶାସନ ଡୋରି ।

ପୁଣିଥରେ ନୂଆ ବିଧାୟକ ଦେଖିପାରନ୍ତି ରାଜନଗରବାସୀ । ଗତଥର ଏହି ଆସନରେ କଂଗ୍ରେସ ବାଜି ମାରିଥିବା ବେଳେ ଚଳିତଥର ଏହି ଆସନରେ ବିଜେଡିର ବିଜୟ ଧ୍ୱଜା ଉଡିପାରେ ବୋଲି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି ।

ମହାକାଳପଡାରେ ପୁଣିଥରେ ଦେଖିବାକୁ ମିଳିପାରେ ବିଜେଡି ମ୍ୟାଜିକ । ଭୋଟରଙ୍କ ବିଶ୍ୱାସ ଓ ଭରସା ଜିତି ପୁଣିଥରେ ବିଧାନସଭାକୁ ଫେରିପାରନ୍ତି ଅତନୁ ସବ୍ୟସାଚୀ ନାୟକ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟରେ ଏଭଳି ସମ୍ଭାବନା ସୃ୍ଷ୍ଟି ହୋଇଛି ।