ପ୍ରଚାର ମଇଦାନରେ ନବୀନ ! ଆରମ୍ଭରୁ କେନ୍ଦ୍ରକୁ ଟାର୍ଗେଟ୍, କହିଲେ ଲୋକସଭାରେ କ୍ଲିନ୍ ସୁଇପ କରିବ ବିଜେଡି ।

431

କନକ ବ୍ୟୁରୋ : ନିର୍ବାଚନ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ଭରୁ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ନୟାଗଡରୁ ଆରମ୍ଭ ହେଲା ବିଜେଡିର ପ୍ରଚାର ଅଭିଯାନ । ୨୧ ରୁ ୨୧ ଲୋକସଭା ଆସନରେ ବିଜେଡି କ୍ଲିନ୍ ସୁଇପ କରିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି କେନ୍ଦ୍ରରେ ଏଥର କୌଣସି ଦଳ ବହୁମତ ପାଇବେ ନାହିଁ । ତେଣୁ କେନ୍ଦ୍ରରେ ସରକାର ଗଠନ କରିବାରେ ଓଡିଶାର ପ୍ରମୁଖ ଭୂମିକା ରହିବ ।

ଆଜି ନୟାଗଡରେ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ନବୀନ । ସେ କହିଛନ୍ତି ୨୦୧୪ ନିର୍ବାଚନ ସମୟରେ, ବିଜେପିର ଇସ୍ତାହାରରେ ପ୍ରଥମ ପ୍ରସଙ୍ଗ ଥିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଏହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଲା । ଓଡିଶାବାସୀଙ୍କୁ ବିଜେପି ଧୋକା ଦେଇଛି ବୋଲି ନବୀନ କହିଛନ୍ତି । ଓଡିଶାର ହକ୍ ପାଇଁ ରାଜ୍ୟ ବିଜେପି କେବେ ହେଲେ ଲଢିନାହିଁ କିମ୍ବା ଆଗକୁ ଲଢିପାରିବ ନାହିଁ । କାହିଁକି ନା ରାଜ୍ୟ ବିଜେପିର ରିମୋଟ୍ ରହିଛି କେନ୍ଦ୍ର ପାଖରେ । କିନ୍ତୁ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ । ଏବଂ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡିଆଙ୍କ ପାଖରେ ରହିଛି ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ, ଯିଏକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଛି । ନବୀନ କହିଛନ୍ତି, ମହିଳାଙ୍କର ଉନ୍ନତି ହେଲେ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ । ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କାଳିଆ ଯୋଜନାରେ ଉପକୃତ ହେଉଛନ୍ତି ୩୫ ଲକ୍ଷ ଚାଷୀ । ଆହୁରି ୨୦ ଲକ୍ଷ୍ୟ ଚାଷୀଙ୍କ ନାଁ ପଞ୍ଜୀକୃତ ହୋଇଛି । କେହି ହେଲେ ଜଣେ ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ନବୀନ କହିଛନ୍ତି । ଏହି ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । କହିଛନ୍ତି ବିରୋଧୀ ମିଛ ପ୍ରଚାର କରୁଛନ୍ତି । ବିଜେଡି ସବୁବେଳେ ଓଡିଶାବାସୀଙ୍କ ଉନ୍ନତି ପାଇଁ କାମ କରିଆସୁଛି ।