ବିଜେପି ସହ ବିଜେଡି ! ନବୀନଙ୍କ ଦୋମୁହାଁ ନୀତିକୁ ସମାଲୋଚନା

51

କନକ ବ୍ୟୁରୋ : ନଭେମ୍ବର ୨୮, ୨୦୧୬  । ବିମୁଦ୍ରାକରଣରେ ଏନଡିଏର ତୃଟିପୂର୍ଣ୍ଣ ନୀତି ଅଭିଯୋଗ କରି ବିରୋଧୀ ଦେଇଛନ୍ତି ଭାରତ ବନ୍ଦ ଡାକରା । ଯେଉଁଥିରେ କଂଗ୍ରେସ, ଟିଏମସି, ଜେଡିୟୁ, ସିପିଆଇ, ସିପିଏମ, ଏନସିପି, ବିଏସପି ଓ ଆରଜେଡି ପରି ଦଳ ସାମିଲ ହେବ । ହେଲେ ଏଥିରୁ ନିଜକୁ ନିବୃତ ରଖିଛି ବିଜୁ ଜନତା ଦଳ । ପ୍ରଥମ ରାଜନୈତିକ ଦଳ ଭାବେ ବିମୁଦ୍ରାକରଣକୁ ବିଜେଡି ସମର୍ଥନ ଦେଇଥିଲା । ଅନ୍ୟପଟେ ଲୋକଙ୍କ ଅସୁବିଧାକୁ ନେଇ ନୀତି ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ବି ଲେଖିଥିଲା ।

ସେପଟେ ନବୀନ ଶାସନକୁ ଭତ୍ସନା କରିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ଏପରି ସ୍ଥିତିରେ ଭାରତ ବନ୍ଦକୁ ସମର୍ଥନ ନ କରିବା କେଉଁଠି ନା କେଉଁଠି ମୋଦି ସରକାରଙ୍କ ପ୍ରତି ନବୀନ ପଟ୍ଟନାୟକଙ୍କ ନୀରବ ସମର୍ଥନ ଆଡକୁ ଇସାରା ଦେଇଛି । ବିଜେଡିର ଏପରି ଆଭିମୁଖ୍ୟକୁ ଦୋମୁହାଁ ବୋଲି କହିଛନ୍ତି କିଛି ବିରୋଧୀ ଦଳ ।

ନବୀନ ସରକାର ଅନେକ ଦୁର୍ନୀତିରୁ ସୁରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ସହ ଭିତିରିଆ ବୁଝାମଣା କରୁଥିବା ଅଭିଯୋଗ କରିଛନ୍ତି । ଯେଉଁଥି ପାଇଁ ଅମିତ ଶାହାଙ୍କ ଗାଳିକୁ ବିଜେଡି ଚୁପଚାପ୍ ସହୁଛି ବୋଲି ସେମାନେ କହିଛନ୍ତି । ଭାରତ ବନ୍ଦକୁ ସମର୍ଥନ ନ ଦେବାରୁ ବିଜେଡି-ବିଜେପିର ଭିତିରିଆ ସଂପର୍କର ଚର୍ଚ୍ଚାକୁ ଖଣ୍ଡନ କରିଛି ବିଜେପି । କଳାଧନ ରୋକିବାକୁ ମୋଦିଙ୍କ ପ୍ରୟାସକୁ ସ୍ୱାଗତ କରିବାର ଭିନ୍ନ ଅର୍ଥ ବାହାର କରିବା ଭୁଲ ବୋଲି ଦଳ କହିଛି ।

ଓଡିଶା ସରକାରଙ୍କ ଶାସନ ବ୍ୟବସ୍ଥା ବିରୋଧରେ ଖୁବ୍ ବର୍ଷିଲେ ଅମିତ ଶାହା । ହେଲେ ବିଜେଡି ନେତାଙ୍କ ବିରୋଧରେ ରହିଲେ ଚୁପ୍ । ଖାସ୍ କରି ଚିଟଫଣ୍ଡ ପ୍ରସଙ୍ଗ, ଯେଉଁଥିରେ ଏକାଧିକ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ ଉଠିଛି । ସେପଟେ ସିବିଆଇ ବିଜେଡି ସାଂସଦ ଓ ବିଧାୟକଙ୍କ ପତ୍ନୀଙ୍କୁ ସମନ ଜାରି କଲାଣି । କିପରି ନିଜ ନେତାଙ୍କୁ ସୁରକ୍ଷା ଦେଇ ଦଳର ଗରିମା ରକ୍ଷା କରି ପାରିବ, ସେ ଦିଗରେ କେନ୍ଦ୍ର ସରକାରଙ୍କୁ ନୀରବ ସମର୍ଥନ ଦେବା ଛଡା ଆଉ କିଛି ବାଟ ନାହିଁ ବୋଲି ଚର୍ଚ୍ଚା ହେଉଛି ।