ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି ! ସୂଚନା ଦେଲେ ବିଜେଡି ସୁପ୍ରିମୋ, ସମର୍ଥନ ଲୋଡି ନବୀନଙ୍କୁ ଫୋନ କରିଥିଲେ ମୋଦି ।

43

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳ ସମର୍ଥନ କରିବ । ଏନେଇ ଆଜି ମୁମ୍ବାଇରୁ ଫେରିବା ପରେ ସୂଚନା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ନିଜ ସମର୍ଥନ ଦେବ ବିଜେଡି । ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଆଜି ମୁମ୍ବାଇରୁ ଓଡିଶା ଫେରିବା ପରେ ଏହି ସୂଚନା ଦେଇଛନ୍ତି ନବୀନ ।

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମୁହାଁମୁହିଁ ହେବେ ଏନଡିଏ ଏବଂ ୟୁପିଏ ପ୍ରାର୍ଥୀ । ସାମ୍ବାଦିକରୁ ସାଂସଦ ବନିଥିବା ବିହାରର ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଅନ୍ୟପଟେ ୟୁପିଏ ତଥା ବିରୋଧୀ ଦଳ ପକ୍ଷରୁ କର୍ଣ୍ଣାଟକର କଂଗ୍ରେସ ସାଂସଦ ବି.କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି ଉଭୟ ପ୍ରାର୍ଥୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ହେବ ଉପାଧ୍ୟକ୍ଷ ପଦ ପାଇଁ ମତଦାନ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ, କ୍ଷେତ୍ର ପ୍ରସ୍ତୁତ । ଗୁରୁବାର, ବିଜେପି ନେତୃତ୍ୱାଧିନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମଧ୍ୟରେ ସିଧାସଳଖ ଲଢ଼େଇ ହେବ । ଏନଡିଏରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହୋଇଥିବା ବେଳେ ୟୁପିଏ ତଥା ବିରୋଧୀ ମେଂଟରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ସାଂସଦ ବିକେ ହରିପ୍ରସାଦ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉଭୟ ଏନଡିଏ ଏବଂ ୟୁପିଏ ପାଇଁ ହେବ ଏସିଡ୍ ଟେଷ୍ଟ ।