ପାଖେଇ ଆସୁଛି ନିର୍ବାଚନ, ବଢୁଛି ନେତାଙ୍କ ଟେନସନ୍ ! ବାୟୋଡାଟା ଧରି ନବୀନଙ୍କ ନିକଟରେ ଚଳାଇଛନ୍ତି ଲବି, ବଢୁଛି ମହିଳା ଆଶାୟୀଙ୍କ ସଂଖ୍ୟା ।

126

କନକ ବ୍ୟୁରୋ : ଟିକେଟ୍ ପାଇଁ ତିନି ଦିନ ହେଲା ନବୀନ ନିବାସରେ ଜମୁଛି ନେତାଙ୍କ ଭିଡ । ବାୟୋଡାଟା ଦେଖାଇ, ସୁପ୍ରିମୋଙ୍କ ପାଖରେ ନେତା କରୁଛନ୍ତି ଲବି । ବରିଷ୍ଠ ନେତା ବି ପୁଣି ଟିକେଟ୍ ପାଇଁ ଆଶାୟୀ ଥିବା କହୁଛନ୍ତି । ବିଜେଡି ସୁପ୍ରିମୋଙ୍କୁ ଭେଟି ଫେରିବା ବେଳେ କିଛି ନେତାଙ୍କୁ ଟିକେଟ୍ ମିଳିବା ନେଇ ଆଶା ଆଶଙ୍କା ଥିବା, ସେମାନଙ୍କ ବଡି ଲାଙ୍ଗୁଏଜରୁ ଜଣାପଡୁଛି । ସେପଟେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ନେଇ ସୁପ୍ରିମୋ ଘୋଷଣା କରିବା ପରେ ନବୀନ ନିବାସରେ ବଢି ଚାଲିଛି ମହିଳା ଆଶାୟୀଙ୍କ ଭିଡ ।

ପାଖଉଛି ନିର୍ବାଚନ, ବଢୁଛି ଉତ୍କଣ୍ଠା । ନବୀନ ନିବାସରେ ନେତାଙ୍କ ଗହଳି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ ତାରିଖରୁ ଆରମ୍ଭ ହୋଇଯିବ ପ୍ରାର୍ଥିପତ୍ର ଦାଖଲ । ଏହା ପୂର୍ବରୁ ଟିକେଟ୍ ପାଇଁ ନବୀନ ନିବାସକୁ ଛୁଟୁଛନ୍ତି ନେତା । ହାତରେ ବାୟୋଡାଟା ଧରି ଟିକେଟ୍ ପାଇଁ ସୁପ୍ରିମୋଙ୍କ ପାଖରେ କରୁଛନ୍ତି ଲବି । ନେତାଙ୍କ ଦାବି, ବୟସ ଅଧିକ ହୋଇଯାଇଥିଲେ ବି, ନିର୍ବାଚନ ଲଢିବାକୁ ସାମର୍ଥ୍ୟ ଅଛି ।

କଣ କହୁଛି ନେତାଙ୍କ ବଡି ଲାଙ୍ଗୁଏଜ୍ ? ଟିକେଟ୍ ନେଇ ଆଶା ଆଶଙ୍କାରେ ନେତା । ଟିକେଟ୍ ପାଇଁ ନବୀନ ନିବାସରେ ଏଥର ଭଳି ଭିଡ, ବୋଧହୁଏ କେବେ ଦେଖା ଯାଇନଥିଲା । ଆଲୋଚନା ସାରି ଫେରୁଥିବା ନେତାଙ୍କ ବଡି ଲାଙ୍ଗୁଏଜରୁ ବାରି ହୋଇଯାଉଛିି, ପୁଣି ଟିକେଟ୍ ପାଇବା ନେଇ ସନ୍ଦିହାନ ଅଛନ୍ତି କିଛି ନେତା । ସେଥିପାଇଁ ବାରମ୍ବାର ସୁପ୍ରିମୋଙ୍କ ପାଖରେ ପହଁଚି ଲବି ଚଳାଇଛନ୍ତି । ନବୀନଙ୍କ ସାମ୍ନାରେ ଗତ ୫ ବର୍ଷର ସଫଳତା ବଖାଣୁଛନ୍ତି ଆଉ ଟିକେଟ୍ ଦାବି କରୁଛନ୍ତି ।

ସେପଟେ ପ୍ରଶ୍ନ ଉଠୁଛି, ବିଜେଡିର ୭ ମହିଳା ପ୍ରାର୍ଥୀ କିଏ ? ବଢୁଛି ମହିଳା ଆଶାୟୀଙ୍କ ସଂଖ୍ୟା । ଏଥର ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ନେଇ ନବୀନ ଘୋଷଣା କରିବା ପରେ ମହିଳା ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଶହ ଶହ ମହିଳା ପ୍ରାର୍ଥୀ ପହଁଚୁଛନ୍ତି ଟିକେଟ୍ ଆଶା ନେଇ । କିଏ ହେବେ ବିଜେଡିର ୭ଜଣ ମହିଳା ପ୍ରାର୍ଥୀ, ଏନେଇ ବିଜେଡି ଶିବିରରେ ଅଙ୍କ କଷା ଚାଲିଥିବା ବେଳେ, ବଢି ଚାଲିଛି ଆଶାୟୀଙ୍କ ତାଲିକା । କାହାକୁ ମିଳିବ ଟିକେଟ୍? କିଏ କଟିବ ତାଲିକାରୁ? କିଏ ହେବ ନୂଆ ଚେହେରା? ସବୁ ନିଷ୍ପତି ନେବେ ବିଜେଡି ସୁପ୍ରିମୋ ନବୀନ ପଟନାୟକ । ତେବେ ଟିକେଟ୍ ପାଇବା ନେଇ ନେତାଙ୍କ ଛାତି ଧଡପଡ ହେଲାଣି ।