ଛିଣ୍ଡୁନି ପିପିଲି ଗଣିତ ! ମହାରଥୀଙ୍କୁ ନେଇ ତୁଟୁନି ଦ୍ୱନ୍ଦ୍ୱ, ପିପିଲିରେ କିଏ ହେବେ ବିଜେଡି ପ୍ରାର୍ଥୀ ?

690

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ଆଉ ଏହାରି ଭିତରେ ଟିକେଟକୁ ନେଇ ମଧ୍ୟ ଚାଲିଛି କସରତ । ଅଧିକାଂଶ ସ୍ଥାନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ସାରିଥିବା ବେଳେ ଏବଂ କିଛି ନିର୍ବାଚନ ମଣ୍ଡଳୀକୁ ନେଇ ଦ୍ୱନ୍ଦ ଲାଗିରହିଛି । ପୁରୀ ବିଧାନସଭା ଆସନରେ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଟିକେଟକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଗତକାଲି ଦୂର ହୋଇଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ଆସନ ପାଇଁ ପୁଣିଥରେ ୫ ଥରର ବିଧାୟକ ମହେଶ୍ବରଙ୍କୁ ହଁ କରିଛନ୍ତି । ଫଳରେ ମହେଶ୍ବରଙ୍କ ଟିକେଟକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଟିକେଟ ଘୋଷଣା ପରେ ପୁରୀରେ ମହେଶ୍ବରଙ୍କ ସମର୍ଥକମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ମହେଶ୍ବରଙ୍କ ଟିକେଟ ଘୋଷଣା ହେବା ପରେ ତାଙ୍କ ବିରୋଧରେ ଚକ୍ରାନ୍ତ ଚଳାଇଥିବା ଯୁବଗୋଷ୍ଠୀ ମଧ୍ୟ ନିରବ ପଡି ଯାଇଛନ୍ତି । ତେବେ ସେମାନେ ମହେଶ୍ବରଙ୍କ ସହିତ ରହିବେ ନା ଦଳ ଛାଡ଼ିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜିଲ୍ଲାର ବରିଷ୍ଠ ନେତା ହିସାବରେ ମହେଶ୍ବରଙ୍କୁ ଟିକେଟ ମିଳିଥିବା ବେଳେ ପିପିଲି ଆସନ ପାଇଁ ମହାରଥୀଙ୍କ ଟିକେଟକୁ ଝୁଲାଇ ରଖାଯାଇଛି । ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ମହାରଥୀଙ୍କୁ ନେଇ ବିଜେଡି କସରତ ତୁଟୁନାହିଁ । ମହିଳା ବିରୋଧୀ ମନ୍ତବ୍ୟକୁ ନେଇ ଚିନ୍ତାରେ ଥିବା ବିଜେଡି ମହାରଥୀଙ୍କୁ ପ୍ରାର୍ଥୀ କରିବ କି ନାହିଁ ତାକୁ ନେଇ ଏବେ ବି ସନ୍ଦେହ ରହିଛି । ଦଳ ମହାରଥୀଙ୍କ ପତ୍ନୀ କିମ୍ବା ତାଙ୍କ ପୁଅକୁ ଟିକେଟ ଦେବା ପାଇଁ ଯୋଜନା କରୁଥିବାବେଳେ ମହାରଥୀ ଅମଙ୍ଗ ଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ।