ତେଲୁଗୁ ଭୋଟରଙ୍କ ଉପରେ ବିଜେଡିର ନଜର, ମନ ଜିଣିବାକୁ ଦଳ ଆଣିଲା ଆନ୍ଧ୍ର କଳାକାର ।

337

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ବଳ କଷୁଛି ବିଜେଡି । ସବୁ ବର୍ଗର ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଭୋଟ୍ ହାତେଇବାକୁ ଗୋଟିଚାଳନା କରୁଛି ବିଜେଡି । ଏନେଇ ନବରଙ୍ଗପୁର ଠାରେ ବିଜେଡି ତେଲୁଗୁ ସେଲ ପକ୍ଷରୁ ଆୟୋଜିତ ହୋଇଛି ସାଂସ୍କୃତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ତେଲୁଗୁର ଷ୍ଟାର କଳାକାରଙ୍କୁ ଦେଖିବାକୁ ମିଳିଥିଲା । ଏହାସହ ମନ୍ତ୍ରୀ ରମେଶ ମାଝୀ, ମନ୍ତ୍ରୀ ଉଷାଦେବୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ସମେତ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମ ନେଇ ବିଜେଡି କହିଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟର ହିତ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଏହି ମର୍ମରେ ରାଜ୍ୟରେଥିବା ସମସ୍ତ ସମ୍ପ୍ରଦାୟର ଲୋକମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ରାଜ୍ୟରେ ଥିବା ତେଲୁଗୁ ସମାଜର ଭାଇ ଓ ଭଉଣୀଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ରାଜ୍ୟ ସରକାର ବୋଲି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି ।

ସେହିଭଳି ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ । ଅନେକ ସମୟରେ ବିଭିନ୍ନ ଦଳ ପରି ସମସ୍ତ ସମ୍ପ୍ରଦାୟକୁ ନେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା କେବଳ ବିଜେଡି ତେଲୁଗୁ ସେଲ୍ ପକ୍ଷରୁ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା  । ଆଗମୀ ନିର୍ବାଚନ ପାଇଁ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ସାଂସଦ ।