ପାଣି ପାଇଁ ଲଢେଇ : କେଲୋ ପ୍ରକଳ୍ପ ପ୍ରଭାବିତଙ୍କୁ ଝାରସୁଗୁଡାରେ ଭେଟିବ ବିଜେଡି ପୂର୍ଣ୍ଣାଙ୍ଗ କମିଟି

30

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ଆଜି ଛତିଶଗଡ଼ ଗସ୍ତ କରିବ ବିଜେଡିର ୧୨ ଜଣିଆ ଦଳ। ଆଜି ଏହି ଟିମ୍ ବାହାରି ପ୍ରଥମେ ଝାରସୁଗୁଡ଼ା ଯିବେ । ସେଠାରେ କେଲୋ ପ୍ରକଳ୍ପ ଦ୍ୱାରା ଲୋକମାନଙ୍କ ସହ ଆଲୋଚନା କରିବା ପରେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ । ଏହି ଦଳ ମଙ୍ଗଳବାର ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବା ସହ ଛତିଶଗଡ଼ ଜଳ ସଂପଦ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବେ । ସେହିପରି ଛତିଶଗଡ଼ ନିର୍ମାଣ କରୁଥିବା ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶା କେତେ ମାତ୍ରାରେ କ୍ଷତି ସହିବ ସେ ନେଇ ଆଲୋଚନା କରିବା ସହ ସମାଧାନର ପନ୍ଥା ନେଇ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ଏହି ୧୨ ଜଣିଆ ଟିମର ନେତୃତ୍ୱ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନେଉଥିବା ବେଳେ ଟିମରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, ସଂଜୟ ଦାସବର୍ମା, ରୋହିତ ପୂଜାରୀ, ସୁଶାନ୍ତ ସିଂହ, ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି ।