୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଲା ବିଜେଡି । ପ୍ରତିଶ୍ରୁତିର କାର୍ଯ୍ୟକାରିତା ନେଇ ରାଜ୍ୟବାସୀଙ୍କ ଆଗରେ ରଖିଲା ରିପୋର୍ଟ କାର୍ଡ ।

259

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ପତ୍ର ଜାରି କଲା ବିଜୁ ଜନତା ଦଳ । ତେବେ ଇସ୍ତାହାର ପତ୍ରରେ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ୨୦୧୪ ନିର୍ବାଚନରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା କେତେ ମାତ୍ରାରେ ପୂରଣ ହୋଇଛି ବୋଲି ପ୍ରଶ୍ନ ଉଠାଇଛି ବିଜେଡି । ଏହା ସହ ଦଳ ପକ୍ଷରୁ ବିଜେପି ପ୍ରତିଶ୍ରୁତିର କାର୍ଯ୍ୟକାରିତାକୁ ମଧ୍ୟ ଦର୍ଶାଯାଇଛି ।

ଇସ୍ତାହାରରେ କୁହାଯାଇଛି, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ, ୨୦୧୪ରେ ବିଜେପି ନିଜ ଇସ୍ତାହାର ପତ୍ରରେ ମୁଖ୍ୟ ମୁଦ୍ଦା କରି ରଖିଥିଲା । ଯାହାକି କାର୍ଯ୍ୟକାରୀ ହୋଇପାରିନାହିଁ । ବିଜେପି ଏହି ପ୍ରସଙ୍ଗ ସମ୍ପୂର୍ଣ୍ଣ ଭୁଲିଯାଇଥିବା ସହ ଏହି ପ୍ରସଙ୍ଗରେ ନିରବ ରହିଛି ବୋଲି ବିଜେଡି କହିଛି । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାବୃତ୍ତି ଦୁଇଗୁଣା ହେବ ବୋଲି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏହା ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ସେହିପରି ପ୍ରତିଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ଏହି ପ୍ରସଙ୍ଗରେ ଟଙ୍କାଟିଏ ବି ଦିଆଯାଇନାହିଁ ବୋଲି ବିଜେଡି କହିଛି । ସେପଟେ ବିଧବା ଭତ୍ତମାସିକ ୧ ହଜାର ଟଙ୍କା ଦିଆଯିବ ବୋଲି ୨୦୧୪ ନିର୍ବାଚନ ଆଗରୁ ପ୍ରତିଶ୍ରୁତି ଦେଇଥିଲା ଭାରତୀୟ ଜନତା ପାର୍ଟି । କିନ୍ତୁ ଦୀର୍ଘ ୫ ବର୍ଷ ପରେ ଏହା ମାତ୍ର ୩୦୦ ଟଙ୍କା ହୋଇଥିବା ବେଳେ ରାଜ୍ୟ ସରକାର ଏଥିରେ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି ।

ସେହିପରି ଚାଷୀଙ୍କୁ ନେଇ ବଡ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏମଏସପି ବୃଦ୍ଧି କରିବା ସହ ଫସଲର ଉତ୍ପାଦକ ମୂଲ୍ୟରେ ବୃଦ୍ଧି କରାଯିବା ନେଇ କୁହାଯାଇଥିଲା । ଏହି ପ୍ରସଙ୍ଗରେ ବିଜେପି ରାଜ୍ୟବାସୀଙ୍କୁ ଧୋକା ଦେଇଛି ବୋଲି ବିଜେଡି କହିଛି । ଗାଁ ଗୁଡିକର ବିକାଶ ପାଇଁ ‘ସମ୍ପୂର୍ଣ୍ଣ ଗ୍ରାମ ବିକାଶ ଯୋଜନା’ କାର୍ଯ୍ୟକାରୀ କରାଯିବା ବୋଲି ନିଜ ଇସ୍ତାହାର ପତ୍ରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ଏହି ଯୋଜନା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନଥିବା ଦଳ ପକ୍ଷରୁ କୁହାଯାଇଛି । ପ୍ରତି ଜିଲ୍ଲାରେ ବିଶ୍ୱସ୍ତରୀୟ ହସ୍ପିଟାଲ ଖୋଲାଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଯାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ୨୦୧୪ ନିର୍ବାଚନ ସମୟରେ ବିଜେପି ଓଡିଶାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପ୍ରତାରଣାରେ ପରିଣତ ହୋଇଛି । ଓଡିଶାବାସୀ ଏହାକୁ ବୁଝିବେ ଏବଂ ଉଚିତ ଜବାବ ଦେବେ ବୋଲି ବିଜୁ ଜନତା ଦଳ କହିଛି ।