କାମ ନ କରି କେବଳ ବାହାନା ଦେଖାଉଛି ବିଜେପି ! ନୀତିନ ଗଡକରୀଙ୍କ ଓଡିଶା ଗସ୍ତକୁ ନିରାଶଜନକ କହିବା ସହ ବିଜେପିକୁ ଟାର୍ଗେଟ କଲା ବିଜେଡି

134

କନକ ବ୍ୟୁରୋ : ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ପାରାଦୀପ ପୋର୍ଟ ଭବିଷ୍ୟତରେ ଦେଶରେ ନମ୍ବର ୱାନ ବନ୍ଦର ହେବ । କେବଳ ୧ ନମ୍ବର ହେବନି , ଏହା ଓଡିଶା ବିକାଶରେ ଗ୍ରୋଥ ଇଂଜିନ ହେବ ବୋଲି କହିଛନ୍ତି ଗଡକରୀ । ଆଉ ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଘେରିଥିଲେ ମୋଦିଙ୍କ ମନ୍ତ୍ରୀ ।

ବିଜେଡି ପକ୍ଷରୁ ନୀତିନ ଗଡକରୀଙ୍କ ଓଡିଶା ଗସ୍ତକୁ ନିରାଶଜନକ କୁହାଯାଇଛି । ବିଜେପି ସରକାର କେବଳ ଅନେକ ଗୁଡିଏ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି । ତାହା ବି ପୁଣି ନିର୍ବାଚନୀ ବର୍ଷରେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମଧ୍ୟ ଦିଆଯାଇଛି । ସେତୁ ନିର୍ମାଣ ନେଇ ଜମି ଅଧିଗ୍ରହଣ କିମ୍ବା ମଞ୍ଚୁରୀ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସମସ୍ୟା ନଥିବା ବେଳେ ଏହାର ନିର୍ମାଣ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ ଉଠାଇଛି ବିଜେଡି ।

ଏହାବାଦ ବିଜେପିର କୋଷ୍ଟାଲ ହାଇୱେ ପ୍ରତିଶୃତି କୁଆଡେ ଗଲା ପ୍ରଶ୍ନ କରିଛି ବିଜେଡି । କଟକ-ସମ୍ବଲପୁର ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ ଓ ମଞ୍ଜୁରୀକୁ ନେଇ କୌଣସିସ ସମସ୍ୟା ନଥିବା ପରେ ମଧ୍ୟ କାହିଁକି ଏଯାଏଁ ଆରମ୍ଭ ହୋଇନାହିଁ । ବିଜେପି କାମ ନକରି କେବଳ ବାହାନା ଦେଖାଉଛି । ବିଜେପି ସରକାରରେ ଗତ ୫ ବର୍ଷ ମଧ୍ୟରେ ସାଢେ ଚାରି କୋଟି ଓଡିଶାବାସୀ କେବଳ ଅବହେଳିତ ହୋଇ ରହିଛି ।