ଭୁଲ କରିଛି ଛତିଶଗଡ଼, ମହାନଦୀକୁ ନେଇ ଧର୍ମେନ୍ଦ୍ରଙ୍କ ୟୁ-ଟର୍ଣ୍ଣ ! ବିଜେଡ଼ି କହିଲା, ଆନ୍ତରିକତା ଥିଲେ ବନ୍ଦ କରନ୍ତୁ ଛତିଶଗଡ଼ କାମ

57

କନକ ବ୍ୟୁରୋ : ମହାନଦୀକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତୁଟୁନି ବିବାଦ । ଛତିଶଗଡ ସରକାର ବେଆଇନ ଭାବେ ମହାନଦୀ ଉପର ମୁ୍ଣ୍ଡରେ ବ୍ୟାରେଜ କରି ପାଣି ଅଟକାଉଥିବା ପୁଣି ଆଜି ସମ୍ବଲପୁର ଠାରେ ଆୟୋଜିତ ଏକ ସଭାରେ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଉପରମୁଣ୍ଡରେ ପାଣି ଅଟକାଇ ଛତିଶଗଡ ଭୁଲ କରିଛି, ଏବଂ ଶିଳ୍ପକୁ ପାଣି ଦେଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, ଛତିଶଗଡକୁ ମହାନଦୀ ପାଣି ବ୍ୟବହାର କରିବାରେ କେହି ଅଟକାଇପାରିବେ ନାହିଁ ବୋଲି କହିବା ପରେ ରାଜ୍ୟ ବିଜେପି ତାର ଆଭିମୁଖ୍ୟରେ ପରିବର୍ତନ ଆଣିିଛି । ସେପଟେ ବିଜେଡି କହିଛି, ଆନ୍ତରିକତାର ସହ କେନ୍ଦ୍ରମନ୍ତ୍ରୀ ଏହି ମନ୍ତବ୍ୟ ରଖୁନାହାଁନ୍ତି ବରଂ ବାଧ୍ୟବାଧକତାରେ ଏଭଳି କହୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ଆନ୍ତରିକତା ଥିଲେ ତୁରନ୍ତ କେନ୍ଦ୍ର ଉପରେ ଚାପ ପକାଇ ଛତିଶଗଡ କରୁଥିବା ପ୍ରକଳ୍ପକୁ ବନ୍ଦ କରାନ୍ତୁ ବୋଲି ଆହ୍ୱାନ ଦେଇଛି ବିଜେଡି ।

ମହାନଦୀ ଶୁଖିବା କାରଣରୁ ଓଡିଶା କ୍ଷତିଗ୍ରସ୍ତ ହେଉଛି କି ନାହିଁ, ଛତିଶଗଡ ମହାନଦୀର ପାଣି ଅଟକାଉଛି କି ନାହିଁ, ଏସବୁ ପ୍ରଶ୍ନର ଉତର ଦେବାକୁ ଯାଇ ଏବେ ବିଜେପି ଛତିଶଗଡକୁ ଦୋଷୀ କରିଛି । ପୂର୍ବରୁ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରୁଥିବା ବିଜେପି, ଏବେ ଛତିଶଗଡ ସରକାରଙ୍କୁ କାଠଗଡାକୁ ଟାଣିଛି । ମୋଦି ସରକାରଙ୍କ ୪ ବର୍ଷ ପୂର୍ତିର ସଫଳତା ବୟାନ କରୁଥିବା ବେଳେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ମନ୍ତବ୍ୟ ଦ୍ୱିତୀୟଥର ପାଇଁ ସାମ୍ନାକୁ ଆସିଛି । ସେପଟେ ଧର୍ମେନ୍ଦ୍ରଙ୍କ ଆଭିମୁଖ୍ୟ ପରିବର୍ତନ ନେଇ ବିଜେଡି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପିର ଅଭିପ୍ରାୟ ସମ୍ପର୍କରେ ବୟାନ ରଖିଛି । କହିଛି, ଏହା ଆନ୍ତରିକତା ନୁହେଁ ବରଂ ବାଧ୍ୟବାଧକତା ।

ମହାନଦୀରେ ଜଳପ୍ରବାହ କମିବା କାରଣରୁ ରାଜ୍ୟର ୧୫ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ମହାନଦୀ ଏକ ପ୍ରମୁଖ ମୁଦ୍ଦା ହେବ ବୋଲି ଆକଳନ କରା ଯାଉଥିବା ବେଳେ ବିଜେପିର ଆଭିମୁଖ୍ୟ ପରିବର୍ତନ, ବିଜେଡିକୁ ପୁଣି ଆକ୍ରମଣ କରିବାକୁ ସୁଯୋଗ ଦେଇଛି । ମହାନଦୀ ଜଳକୁ ବ୍ୟବହାର କରିବାରେ ଛତିଶଗଡକୁ କେହି ଅଟକାଇପାରିବେ ନାହିଁ ବୋଲି ରମଣ ସିଂ ବୟାନ ଦେବା ପରେ ଓଡିଶାରେ କଡା ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆଉ ଏହି ଘଟଣା ପରେ ଆଭିମୁଖ୍ୟ ପରିବର୍ତନ କରିଥିଲା ବିଜେପି ।