ବିଜେପୁର ପାଇଁ ରାଜନୀତି କ୍ୟାରିୟରକୁ ବାଜି ଲଗାଇଲେ ମହାରଥୀ । ବାଜି ନ ଜିତିଲେ ରାଜନୀତିକୁ କରିବି ବାଏ ବାଏ, ଉପନିର୍ବାଚନ ପୂର୍ବରୁ ବଡ ବୟାନ

58

କନକ ବ୍ୟୁରୋ : ମୈଦାନକୁ ହିରୋ ଗଲେ ବାକି ସବୁ ଜିରୋ ହୋଇଯିବେ । ବିଜେପୁରରେ ଆମେ ଜିତିବୁ. ଜିତିବୁ..ଜିତବୁ… ଯଦି ନ ଜିତୁ ତେବେ ରାଜନୀତି ଛାଡି ଦେବି । ଏଭଳି କିଛି କଥା କହି ରାଜନୀତିର ବାତାବରଣକୁ ଗରମ କରିଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଯାତ୍ରା ଅନ୍ଦାଜରେ ମହାରଥୀ ଯେଉଁଭଳି ଭାବେ ବୟାନ ଦେଇଛନ୍ତି ଲାଗୁଛି ବିଜେପୁରରେ ବିଜେଡିର ବିଜୟକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ବିଜେଡି ସୁପ୍ରିମୋ ନବୀନ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ମହାରଥୀ । ଏପରିକି ବିଜେପୁର ନିର୍ବାଚନକୁ ନେଇ ନିଜ ରାଜନୀତି କ୍ୟାରିୟରକୁ ବାଜିରେ ଲଗାଇଛନ୍ତି ମହାରଥୀ । ତେଣୁ ବିଜେଡି ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱ ବହନ କରୁଛି ତାହାଠାରୁ ଅଧିକ ମହାରଥୀଙ୍କ ପାଇଁ ଗୁରୁତ୍ୱ ରଖୁଛି । ବିଜେପୁର ଗଡ ଜିତିବା ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇ ହାଇଭୋଲେଟେଜ ପ୍ରଚାର କରୁଥିବା ବେଳେ ଆଗାମୀ ୨୦ ତାରିଖରେ ବିଜେଡି ପାଇଁ ନବୀନ ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇବେ । ହିରୋ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାକି ସବୁ ଜିରୋ ହୋଇଯିବେ ବୋଲି ଜୋର ଦେଇ କହିଛନ୍ତି ମହାରଥୀ । କାରଣ ବିଜେଡି ପାଇଁ ନବୀନ ହିଁ ଏକମାତ୍ର ହିରୋ । ବିଜେପୁର ପାଇଁ ବ୍ରାଣ୍ଡ ନବୀନ ହିଁ ଭରସା ।

BIJEPURବିଜେପୁର ଗଡ ଜିତିବା ନେଇ ବିଜେଡ଼ି ଅନେକ ଥର ଦୃଢୋକ୍ତି ପ୍ରକାଶ କରିଛି । ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଜେପୁରରେ ବିଜେଡି ପ୍ରାର୍ଥୀ ଅଧିକ ବ୍ୟବଧାନରେ ଜିତିବ ବୋଲି କହି ସାରିଛନ୍ତି । ଆଉ ଏବେ ନବୀନଙ୍କ କଥାକୁ ପୁଣିଥରେ ଦୋହରାଇଛନ୍ତି ମହାରଥୀ ।ବିଜେପୁରରେ ଏବେ ବିଜେଡି ବହୁ ଭୋଟରେ ଆଗୁଆ ଅଛି ଏଭଳିସ୍ଥଳେ ନବୀନ ପ୍ରଚାର ମୈଦାନକୁ ଯିବା ପରେ ବିଜେଡିର ଭୋଟହାର ଦ୍ୱିଗୁଣିତ ହୋଇଯିବ । ବିରୋଧୀ ଯେତେ ପ୍ରଚାର କଲେ ମଧ୍ୟ ଏହାର କାଣିଚାଏ ପ୍ରଭାବ ମଧ୍ୟ ବିଜେଡି ଉପରେ ପଡିବନି ବରଂ ନବୀନ ପ୍ରଚାର କଲେ ବିଜେଡ଼ି ସପକ୍ଷରେ ହାୱା ସୃଷ୍ଟି ହେବ । ବିଜେପୁର ଗଡ ଜିତିବା ପାଇଁ ବିଜେପି ଦିବା ସ୍ୱପ୍ନ ଦେଖୁଛି । ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ ଏଥିରେ କେହି ବ୍ରେକ ଲଗାଇ ପାରିବେନି । କେବଳ କେତେ ବ୍ୟବଧାନରେ ଜିତିବୁ ତାହା ଫଳାଫଳ ଘୋଷଣା ପରେ ଜଣାଯିବ ।

bijepurଏହାପୂର୍ବରୁ ବିଜେପୁରରେ ବିଜେଡିର ବିଜୟ ନେଇ ଦେବୀ ମିଶ୍ର ମଧ୍ୟ ଭବିଷ୍ୟବାଣୀ କରିଥିଲେ । ବିଜେପୁରରେ ବିଜେଡ଼ି ଏକ ନମ୍ବର ସ୍ଥାନ ଦଖଲ କରିବ । ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ ଓ ବିଜେପି ଲଢେଇ କରୁଛନ୍ତି ବୋଲି ସେ କହିଥିଲେ । ତେବେ ବିଜେଡି ସୁପ୍ରିମୋ ନବୀନ ଓ ଦେବୀ ମିଶ୍ରଙ୍କ ଠାରୁ ଗୋଟିଏ ପାଦ ଆଗକୁ ଯାଇ ମହାରଥୀ କହିଛନ୍ତି, ବିଜେପୁରରେ ଆମେ ଜିତିବୁ । ଯଦି ବିଜେପୁରରେ ବିଜେଡି ବିଜୟୀ ନ ହୁଏ ତେବେ ରାଜନୀତି ଛାଡିଦେବେ ବୋଲି ଜୋର ଦେଇ କହିଛନ୍ତି ଯାତ୍ରା ମହାରଥୀ । ମହାରଥୀଙ୍କ ଏଭଳି ଦୃଢୋକ୍ତି ପଛରେ କେଉଁ ଷ୍ଟ୍ରାଟେଜି କାମ କରୁଛି । ଦୀର୍ଘ ୧୪ ବର୍ଷ ପରେ ବିଜେପୁର ଗଡ ଜିତିବା ପାଇଁ ବିଜେଡି ଜି ଜାନ ଲଗାଇ ଦେଇଛି । ପୂରା ରାଜଧାନୀ ଏବେ ନେତା ଶୂନ୍ୟ ହୋଇଯାଇଛି । ବିଜେପୁର ଏବେ ବିଜେଡିର ମିନିକ୍ୟାମ୍ପ ପାଲଟିଛି । ମନ୍ତ୍ରୀ, ବିଧାୟକଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ନେତା ସମସ୍ତେ ଏବେ ଗୋଟିଏ ଟେଣ୍ଟ ତଳେ ଡେରା ପକାଇଛନ୍ତି । ଲକ୍ଷ୍ୟ ଗୋଟିଏ, ବିଜେପୁରରେ ଉଡ଼ିବ ବିଜେଡିର ବିଜୟ ଧ୍ୱଜ । ଖୋଦ ଦଳ ମୁଖିଆ ପ୍ରଚାର ମଙ୍ଗ ଧରିବାକୁ ନିଷ୍ପତି ନେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ନବୀନ ପ୍ରଚାରକୁ ନ ଓହ୍ଲାଇବା ଫଳରେ ଦଳ ଯେଉଁ କ୍ଷତି ସହିଥିଲା ତାହାର ପୁନରାବୃତ୍ତି କରିବାକୁ ଚାହୁଁନାହାନ୍ତି ସୁପ୍ରିମୋ ।

କେବଳ ବିଜେଡି ନୁହେଁ ବିଜେପି ଓ କଂଗ୍ରେସ ମଧ୍ୟ ବିଜେପୁର ଗଡ ଜିତିବା ପାଇଁ ଦୃଢ ଆଶାବାଦୀ ଅଛନ୍ତି । ଆଉ ଏଥିପାଇଁ ଭିନ୍ନ ଭିନ୍ନ ରଣନୀତି ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି । ଗୋଟିଏ ପଟେ ବିଜେପି କେନ୍ଦ୍ରମନ୍ତ୍ରୀ ଓ ଓଲିଉଡ ଷ୍ଟାରଙ୍କୁ ନେଇ ଲୋକଙ୍କ ନିକଟରେ ପହଞ୍ଚୁ ଥିବା ବେଳେ କଂଗ୍ରେସ ଆପଣାଇଛି ଭିନ୍ନ ରଣନୀତି । ବହୁ ବାଦ ବିବାଦ ପରେ ବିଜେପୁର ଉପନିର୍ବାଚନ କଂଗ୍ରେସ ନେତାଙ୍କୁ ଏକାଠି କରିଛି । ପ୍ରଣୟଙ୍କ ପାଇଁ ଗୋଟିଏ ମଞ୍ଚରେ କାନ୍ଧରେ କାନ୍ଧ ମିଶାଇ ଛିଡା ହେଉଛନ୍ତି କଂଗ୍ରେସର ହେଭିୱେଟ । ଘର ଘର ବୁଲି ଭୋଟ ମାଗିବା ସହ ବିଜେପୁର ଗଡ ବଜାୟ ରଖିବା ପାଇଁ ଜୋରଦାର ଉଦ୍ୟମ କରିଛି କଂଗ୍ରେସ । ତେବେ ଏସବୁ ଭିତରେ ବିଜେପୁର ବାଜି କିଏ ଜିତିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।