ମାଇନିଂ କଂପାନୀରୁ ଦରମା ନେଇ ସତ୍ୟପାଠରେ ତଥ୍ୟ ଲୁଚାଇବେନି ଅନୁଭବ ମହାନ୍ତି । ପ୍ରାର୍ଥୀ ଘୋଷଣା ବେଳେ ବୈଜୟନ୍ତଙ୍କୁ ପରୋକ୍ଷରେ ତୀର ମାରିଲେ ନବୀନ ।

ବଡ କଥା ହେଉଛି, ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପରୋକ୍ଷରେ ସମାଲୋଚନାର ତୀର ମାରିଛନ୍ତି ।

832

କେନ୍ଦ୍ରାପଡାରୁ ବିଜେଡି ଟିକେଟରେ ନିର୍ବାଚନ ଲଢିବେ ଅନୁଭବ ମହାନ୍ତି । ଅଣ ବିଜେପି ଓ ଅଣ କଂଗ୍ରେସର ଗଡ ହୋଇ ରହି ଆସିଥିବା କେନ୍ଦ୍ରାପଡା ଆସନରୁ ନିଜର ପ୍ରତ୍ୟକ୍ଷ ରାଜନୀତିର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଏହି ରାଜ୍ୟସଭା ସାଂସଦ । ବିଜେଡି ପାଇଁ ସମ୍ମାନର ଲଢେଇ ପାଲଟିଥିବା ଏହି ଆସନ ପାଇଁ ଦଳ ତାର କାର୍ଡ ଆଜି ଖୋଲିଛି ।

ତେବେ ବଡ କଥା ହେଉଛି, ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପରୋକ୍ଷରେ ସମାଲୋଚନାର ତୀର ମାରିଛନ୍ତି । ଅନୁଭବ ମହାନ୍ତିଙ୍କ ନାଁ ଘୋଷଣା କଲାବେଳେ ନବୀନ କହିଛନ୍ତି, ସେ କେବଳ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କାମ କରିବେ । ସେ ଦାଖଲ କରିବାକୁ ଥିବା ସତ୍ୟପାଠରେ ଲୁଚାଇବା ପାଇଁ କିଛି ନାହିଁ । ମାଇନିଂ କଂପାନୀରେ କାମ କରି ସାଲାରୀ ନେବା ଆଉ ତାକୁ ଲୁଚାଇବା ଭଳି କାମ ସେ କରିବେ ନାହିଁ ।

ବଡ କଥା ହେଉଛି, ନବୀନଙ୍କ ଏହି ତୀର ଥିଲା ବୈଜୟନ୍ତ ପଣ୍ଡାଙ୍କ ଆଡକୁ । ପୂର୍ବରୁ ବିଜୁ ଜନତା ଦଳ ତରଫରୁ ତଥ୍ୟ ମାଧ୍ୟମରେ ସାଂଘାତିକ ଅଭିଯୋଗ ଆଣି କୁହାଯାଇଥିଲା, ମାଇନିଂ କଂପାନୀରୁ ଦରମା ନେଇଥିଲେ ମଧ୍ୟ ଏହାକୁ ସତ୍ୟପାଠରେ ଦର୍ଶାଇନଥିଲେ ବୈଜୟନ୍ତ । ଯାହାକୁ ନେଇ ସେ ସମୟରେ ବେଶ ତମ୍ବିତିଫାନ ହୋଇଥିଲା ।

ନିର୍ବାଚନ ଲଢେଇ ଆରମ୍ଭ ହେବା ପୂର୍ବରୁ ନବୀନ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଏହା ଆଗାମୀ ଦିନରେ ଏକ ବଡ ଧରଣର ଲଢେଇ ପାଇଁ ସଂକେତ ଦେଉଛି । କାରଣ କେନ୍ଦ୍ରାପଡାରେ ପୂର୍ବରୁ ଜନତା ଦଳ ଆଉ ପରେ ବିଜୁ ଜନତା ଦଳ ଲଗାତର ଭାବେ ବିଜୟୀ ହୋଇ ଆସୁଛି । ଆଉ ଏବେ କେନ୍ଦ୍ରାପଡା ଆସନ ପାଇଁ ବୈଜୟନ୍ତଙ୍କ ବିରୁଦ୍ଧରେ ଦଳର ପ୍ରାର୍ଥୀ ହେବେ ଅନୁଭବ ମହାନ୍ତି ।

ଅନୁଭବଙ୍କ ନାଁ ଘୋଷଣା କରିବା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଜଣେ ଭଲ ବକ୍ତା । ସଂସଦରେ ୩୩ ପ୍ରତିଶତ ରିଜର୍ଭେସନ ହେଉ ଅବା ମହାନଦୀ କିମ୍ବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ, ସଂସଦରେ ଶାଣିତ ଭାବେ ସ୍ୱର ଉଠାଇ ଆସିଛନ୍ତି ଅନୁଭବ ମହାନ୍ତି । ତେଣୁ ଦଳ ତାଙ୍କୁ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିଛି ବୋଲି ଦଳର ସୁପ୍ରିମୋ ଘୋଷଣା କରିଛନ୍ତି ।