କୃଷକ, ମହିଳା ପରେ ଫୋକସରେ ଯୁବକ । ଆସନ୍ତା ୨୪ରେ ବଲାଙ୍ଗୀରରେ ନବୀନଙ୍କ ମେଗା ଶୋ’ ।

ଆସନ୍ତା ୨୪ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏବଂ ଏହି ଗସ୍ତ ସମୟରେ ବଲାଙ୍ଗୀର ଠାରେ ପଶ୍ଚିମ ଓଡ଼ିଶା ଯୁବ ସମାବେଶ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

377

କନକ ବ୍ୟୁରୋ: ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା । ଆସନ୍ତା ୨୪ ତାରିଖରେ ନବୀନଙ୍କ ମେଗା ଶୋ’ । ମୋଦିଙ୍କ ପରେ ବଲାଙ୍ଗୀରରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଆସନ୍ତା ୨୪ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏବଂ ଏହି ଗସ୍ତ ସମୟରେ ବଲାଙ୍ଗୀର ଠାରେ ପଶ୍ଚିମ ଓଡ଼ିଶା ଯୁବ ସମାବେଶ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ବିଜେଡି ସାଂସଦ କଳିକେଶ ସିଂହଦେଓ । କଳିକେଶଙ୍କ କହିବା ମୁତାବକ ବଲାଙ୍ଗୀରର ରାଜେନ୍ଦ୍ର କଲେଜ ପଡ଼ିଆରେ ପଶ୍ଚିମ ଓଡ଼ିଶା ଯୁବ ସମାବେଶର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ପାଖାପାକି ୨୫ରୁ ୩୦ ହଜାର ଯୁବକ ଯୁବତୀ ସାମିଲ ହେବେ । ଏହି ସମାବେଶରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ବିଜେଡି ସାଂସଦ କଳିକେଶ କହିଛି ।

ଆଗାମୀ ନିର୍ବାଚନ ପାଇଁ ସମୟ ଯେତିକି ନିକଟତର ହେଉଛି ତାହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଅଙ୍କ କଷାକଷି । ତେଣୁ ଏବେ ପଶ୍ଚିମ ଓଡ଼ିଶାର ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ମିଶନ୍ କରିଛନ୍ତି ଉଭୟ ଶାସକ ଓ ବିରୋଧୀ । ଗତ ଜାନୁୟାରୀ ୫ ତାରିଖରେ ମୋଦିଙ୍କ ବଲାଙ୍ଗୀର ଗସ୍ତ ରାଜ୍ୟ ରାଜନୀତିର ପାରଦ ଉପରେ ବେଶ୍ କିଛି ପ୍ରଭାବ ପକାଇପାରି ନଥିଲା । କିନ୍ତୁ ଆସନ୍ତା ୨୪ ତାରିଖରେ ନବୀନ ବଲାଙ୍ଗୀର ଗସ୍ତରେ ଯିବେ ଏଂବ ସେଠାରେ ଯୁବ ସମାଶେ କରିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ବଲାଙ୍ଗୀର ବିଜେଡି କ୍ୟାମ୍ପରେ ଚାଲିଛି ପୂର୍ବ ପ୍ରସ୍ତୁତି ।

ଅନ୍ୟପଟେ ଆସନ୍ତା ୨୪ରେ ଝାରସୁଗୁଡ଼ା ଗସ୍ତରେ ଯାଇ କଂଗ୍ରେସ ଛାଡ଼ିଥିବା ନବ ଦାସଙ୍କୁ ଶଙ୍ଖ ଧରାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବଂ ପଶ୍ଚିମ ଓଡ଼ିଶାକୁ ବିଜେଡିର ଗଡ଼ ଭାବେ ଗଢ଼ିତୋଳିବାକୁ ଗୋଟି ଚାଳନା କରିଛନ୍ତି ନବୀନ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଏବଂ ନବୀନଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ପୂର୍ବରୁ ବିରୋଧୀଙ୍କ ଶିବିରରେ ଛନକା ପସିଥିବା ଚର୍ଚ୍ଚା ହେଉଛି । କାରଣ ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତରେ ନବୀନ ପ୍ରତି ନରମ ମନୋଭାବ ରାଜନୀତିରେ ଶିଥିଳତା ଆଣିଛି । ହେଲେ ନବୀନଙ୍କ ଆଗାମୀ ଗସ୍ତ ଏବଂ ଯୁବପୀଢ଼ିଙ୍କ ଉପରେ ଫୋକସ୍ ରାଜ୍ୟ ରାଜନୀତିରେ ଉଷ୍ମତା ଆଣିଛି ।