ନବ ନିର୍ବାଚିତଙ୍କୁ ନବୀନଙ୍କ ଟିପ୍ସ । ନିଜ ଅନୁଭୂତିକୁ ଉଦାହରଣ ଦେଇ ବିଧାୟକଙ୍କୁ ଦେଲେ ଗୁରୁମନ୍ତ୍ର ।

ଦଳୀୟ ଭିତ୍ତିରେ କୌଣସି ବାଛ-ବିଚାର କରନ୍ତୁ ନାହିଁ । ବିଧାୟକ ହେଉ ଅବା ମୁଖ୍ୟମନ୍ତ୍ରୀ ମୁଁ ଏହି ନୀତିକୁ ପାଳନ କରିଆସୁଛି ଯାହାକୁ ଆପଣମାନେ ପାଳନ କରନ୍ତୁ ବୋଲି ନବ ନିର୍ବାଚିତ ବିଧାୟକମାନଙ୍କୁ କହିଛନ୍ତି ନବୀନ ।

227

କନକ ବ୍ୟୁରୋ: ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ଟିପ୍ସ । ଦୁର୍ନୀତି ଠାରୁ ଦୂରେଇ ରହି ସରଳ ଓ ନମ୍ର ହେବାକୁ ପରାମର୍ଶ ଦେଲେ ନବୀନ । ୨୦୦୦ ମସିହାର ଅନୁଭୂତିର ଉଦାହରଣ ଦେଇ ନବ ନିର୍ବାଚିତ ବିଧାୟକମାନଙ୍କୁ ନବୀନ ନିବାସରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଛନ୍ତି କି, “ମୁଁ ପ୍ରଥମ କରି ବିଧାୟକଭାବେ ନିର୍ବାଚିତ ହେବାପରେ ମୋ ନିର୍ବାଚନମଣ୍ଡଳୀର ବିଡ଼ିଓମାନଙ୍କୁ ଡାକି କହିଥିଲ, ଆପଣମାନେ କାର୍ଯ୍ୟକ୍ଷେତ୍ରରେ କୌଣସି ଭୟ ଓ ଅନୁଗ୍ରହ ପ୍ରଦର୍ଶନ ନକରି ସବୁ ଲୋକଙ୍କ ପାଇଁ କାମ କରନ୍ତୁ । ଦଳୀୟ ଭିତ୍ତିରେ କୌଣସି ବାଛ-ବିଚାର କରନ୍ତୁ ନାହିଁ । ବିଧାୟକ ହେଉ ଅବା ମୁଖ୍ୟମନ୍ତ୍ରୀ ମୁଁ ଏହି ନୀତିକୁ ପାଳନ କରିଆସୁଛି ଯାହାକୁ ଆପଣମାନେ ପାଳନ କରନ୍ତୁ ବୋଲି ନବ ନିର୍ବାଚିତ ବିଧାୟକମାନଙ୍କୁ କହିଛନ୍ତି ନବୀନ ।

ଏପରିକି ନବୀନ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । କହିଛନ୍ତି, ବିଜୁ ବାବୁଙ୍କ ପରିଚୟ ଥିଲା ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ସବୁ ବର୍ଗର ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କ ପାଇଁ କାମ କରିବା । ମୁଁ ମୋ ଅନୁଭୂତି କହୁଛିଳ ଆପଣମାନେ ଯଦି ଦୁର୍ନୀତି ଠାରୁ ଦୂରରେ ରହି ଲୋକଙ୍କ କାର୍ଯ୍ୟ କରନ୍ତି ତେବେ ଆପଣମାନେ ବାରମ୍ବାର ନିର୍ବାଚିତ ହେଉଥିବେ । ଆଉ ଯଦି କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଆପଣମାନେ ଲୋକଦେଖାଣିଆ କାର୍ଯ୍ୟ କରିବେ ତାହାହେଲେ ବିପରୀତ ପରିଣାମ ହେବ ।

ସବୁଠାରୁ ଗୁରୁପୂର୍ଣ୍ଣ ଦିଗ ଉପରେ ଫୋକସ ଦେବାକୁ ବିଧାୟକମାନଙ୍କୁ ନବୀନ କହିଛନ୍ତି । ସାଧାରଣ ଜୀବନରେ ସରଳତା ହିଁ ଜଣେ ଭଲ ନେତାର ପରିଚୟ । କାରଣ ଲୋକମାନେ ସରଳତାକୁ ପସନ୍ଦ କରିଥାନ୍ତି, ଯଦି ଜଣେ ଅହଂକାରୀ ଓ ବିଳାସପୂର୍ଣ୍ଣ ଜୀବନଯାପନ କରେ ତେବେ ଏହା ସାଧାରଣ ଲୋକ ଏବଂ ତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ଦୂରତା ସୃଷ୍ଟି ହେବ । ତେଣୁ ଅପାଣମାନେ ଲୋକମାନଙ୍କର ଆମ ଉପରେ ଥିବା ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ପାଇଁ ପରିଶ୍ରମ କରନ୍ତୁ ବୋଲି ନବ ନିର୍ବାଚତ ବିଧାୟକମାନଙ୍କୁ ଟିପ୍ସ ଦେଇଛନ୍ତି ବିଜେଡି ସୁପ୍ରିମୋ ।