ନବୀନଙ୍କୁ ମାତ୍ ଦେବାକୁ ମୈଦାନରେ ମାଳ ମାଳ ନେତା ! ସଫଳତା ସାର୍ଟିଫିକେଟ୍ ଦେବେ ଜନତା ।

ମିଶନ୍ ନବୀନଙ୍କୁ ହଟାଇ ଓଡ଼ିଶାକୁ ଦଖଲ କରିବା । କିନ୍ତୁ ବିଜେଡିର ଗଡ଼ ଦୋହଲାଇବାକୁ ଅଣ୍ଟା ଭିଡ଼ିଥିବା ବିରୋଧୀଙ୍କ ପାଇଁ ନିବୀନ ମେଘନାଦ ପାଚେରୀ ଭଳି ଛିଡ଼ା ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

672

କନକ ବ୍ୟୁରୋ: ମିଶନ୍ ନବୀନଙ୍କୁ ହଟାଇ ଓଡ଼ିଶାକୁ ଦଖଲ କରିବା । କିନ୍ତୁ ବିଜେଡିର ଗଡ଼ ଦୋହଲାଇବାକୁ ଅଣ୍ଟା ଭିଡ଼ିଥିବା ବିରୋଧୀଙ୍କ ପାଇଁ ନବୀନ ମେଘନାଦ ପାଚେରୀ ଭଳି ଛିଡ଼ା ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ସେହି ପାଚେରୀକୁ ଭାଙ୍ଗିବା ପାଇଁ କେତେବେଳେ ବିଜେପିର ଶୀର୍ଷ ନେତା ତ କେତେବେଳେ କଂଗ୍ରେସର ହାଇକମାଣ୍ଡ ମାରାଥନ୍ ଓଡ଼ିଶା ଗସ୍ତ କରୁଛନ୍ତି । ଏପରିକି କେନ୍ଦ୍ର ଓ ରାଜ୍ୟ ରାଜନୀତିର ଚର୍ଚ୍ଚିତ ରାଜନେତାଙ୍କୁ ଓଡ଼ିଶାକୁ ଆଣି ବିଜେଡି ଗଡ଼ରେ ଝଡ଼ ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି ଉଭୟ ବିରୋଧୀ । ହେଲେ ନବୀନ ଏକା ଏକା ଦମ୍ ଦେଖାଉଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ଆଗାମୀ ନିର୍ବାଚନକୁ ନେଇ ଶାସକ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ବଳ କଷାକଷି ଚାଲିଛି । ଆଉ ସବୁଠାରୁ ବଡ଼କଥା ହେଲା ୨୦୦୦ ମସିହାରୁ ବିଜେଡିର କ୍ଷମତା ଡ଼ୋରୀ ସମ୍ଭାଳିଥିବା ନବୀନଙ୍କୁ କେମିତି ଚେକ୍ ମେଟ୍ ଦେବେ ତାହା ଏବେ ବିରୋଧୀଙ୍କ ମୁଣ୍ଡ ବିନ୍ଧାର ବିଷୟ ପାଲଟିଛି । କାରଣ ୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବାପରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଗେରୁଆମୟ କରିବାରେ ଲାଗିଥିଲେ । କିନ୍ତୁ ଓଡ଼ିଶାରେ ମୋଦି ମ୍ୟାଜିକର ଫରକ ଆଶିଂକ ପଡ଼ିଥିଲା ।  ଯାହାଫଳରେ ଶାସକ ବିଜେଡିକୁ ପଂଚାୟତ ନିର୍ବାଚନରେ ଟକ୍କର ଦେଇଥିଲା ବିଜେପି । କିନ୍ତୁ ନବୀନଙ୍କ ଲୋକପ୍ରିୟତା ଆଗରେ ଫେଲ୍ ମାରିଗଲା ମୋଦି-ଶାହାଙ୍କ ଗଣିତ ।

NAVEEN vs rahulସେପଟେ କଂଗ୍ରେସକୁ ମଧ୍ୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନରୁ ହଟାଇ ଏକ ପାଦ ଆଗକୁ ଥାପିଥିଲା ବିଜେପି । ଏହାପରେ କଂଗ୍ରେସ ମଧ୍ୟ ରାଜ୍ୟ ରାଜନୀତିରେ ଟିକେ ପଛରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ କଂଗ୍ରେସ ଯୁବରାଜଙ୍କ ରାଜାଭିଷେକ ପରେ ଧିରେଧିରେ କରି ବିଜେପି ଦଖଲ କରିଥିବା ରାଜ୍ୟରେ ‘ହାତ’କୁ ପୁଣି ମଜଭୁତ କରିଛି କଂଗ୍ରେସ । ତେଣୁ ମୋଦିଙ୍କ ମିଶନ ପୂର୍ବଭାରତକୁ କଡ଼ା ଟକ୍କର ଦେଇ ଓଡ଼ିଶା ଉପରେ ଫୋକସ କରିଛନ୍ତି ରାହୁଲ । କିନ୍ତୁ ଉଭୟ ମୋଦି ଓ ରାହୁଲଙ୍କ ସାମ୍ନାରେ ବଡ଼ ଚଟ୍ଟାଣ ହୋଇ ଛିଡ଼ା ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ।

ଏସବୁ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ରାଜନୀତିର ଉଭୟ ବିଜେପି ଓ କଂଗ୍ରେସର ଚର୍ଚ୍ଚିତ ଚେହେରାଙ୍କୁ ଓଡ଼ିଶାକୁ ଆଣି ନବୀନଙ୍କ ଗଡ଼କୁ ଦୋହଲାଇବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ସେପଟେ ନବୀନଙ୍କ ଭାବମୂର୍ତ୍ତି ଏବଂ ଲୋକପ୍ରିୟତାକୁ ନେଇ ଜାତୀୟ ଗଣମାଧ୍ୟମରେ ଆସୁଥିବା ବିଭିନ୍ନ ସର୍ଭେ ରିପୋର୍ଟ ବିରୋଧୀ ଶିବିରରେ ଛନକା ପସାଉଛି । ରାଜ୍ୟବାସୀ ପୂର୍ନବାର ନବୀନଙ୍କ ହାତରେ ଓଡ଼ିଶାର କ୍ଷମତା ଡ଼ୋରୀ ଦେବାପାଇଁ ମନସ୍ଥ କରୁଥିବା ଜାତୀୟ ଗଣମାଧ୍ୟମ ସର୍ଭେ ରିପୋର୍ଟରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଆସନ୍ତା ନିର୍ବାଚନରେ ନବୀନ ଏକ କିନ୍ତୁ ତାଙ୍କ ବିରୋଧରେ ଓଡ଼ିଶା ଆସି ଅନେକ ଚର୍ଚ୍ଚିତ ନେତା ଗର୍ଜିବେ  । ଆଉ ଆଗକୁ ରାଜ୍ୟବାସୀ ଏହି ହାଇଭୋଲଟେଜ୍ ରାଜନୈତିକ ଡ଼୍ରାମା ଦେଖିବାକୁ ପାଇବେ ।