ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଡ଼ରୁଛି କି ବିଜେପି ? ତାଙ୍କ ନିର୍ବାଚନ ମଣ୍ଡଳୀ କେଉଁଠି , ଡ଼ବଲ ଇଞ୍ଜିନ୍ ଥିଓରୀ ଉପରେ ନବୀନଙ୍କ କଡ଼ା ଜବାବ୍ ।
କନକ ବ୍ୟୁରୋ: ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଦଶପଲ୍ଲା ନିର୍ବାଚନୀ ପ୍ରଚାର ମୈଦାନରେ ବିଜେପିକୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପରିକି ବଜେପିକୁ ଶାଣିତ ଆକ୍ରମଣ କରି ନବୀନ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ଓଡ଼ିଶା ଇଞ୍ଜିନ୍ ଆଉ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ କେଉଁଠି ତାଙ୍କ ନିର୍ବାଚନ ମଣ୍ଡଳୀ ସ୍ପଷ୍ଟ କରୁ ବିଜେପି । କାରଣ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ବୋଲି ପ୍ରଶ୍ନ କରିଛନ୍ତି ନବୀନ ?
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଓଡ଼ିଶାକୁ ଆସୁଥିବା ବିଜେପିର ଶୀର୍ଷନେତା ଏବଂ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଡ଼ବଲ ଇଞ୍ଜିନ୍ କଥା ଉଠାଉଥିବାବେଳ ଏହାକୁ କାଉଣ୍ଟର କରିଛନ୍ତି ନବୀନ । ଆଉ ପ୍ରଶ୍ନ କରିଛନ୍ତି ଯେ, ବିଜେପି ଓଡ଼ିଶାର ଇଞ୍ଜିନ କିଏ ସ୍ପଷ୍ଟ କରୁ ବିଜେପି । ଏପରିକି ଦିଲ୍ଲୀ ଇଞ୍ଜିନ୍ ଆସିଲା କିନ୍ତୁ ଓଡ଼ିଶାକୁ ନୁହେଁ ତାହା ଆନ୍ଧ୍ରକୁ ଗଲା । ନିର୍ବାଚନ ହେଲେ ଦିଲ୍ଲୀ ଇଂଜିନ୍ ଆସୁଛି, ଜୋରଦାର ଗର୍ଜନ ହେଉଛି ତା’ପରେ ଦିଲ୍ଲୀ ଇଂଜିନର ଦେଖା ମିଳିବ ନାହିଁ ବୋଲି କହି କଟାକ୍ଷ କରିଛନ୍ତି ନବୀନ ।
ଅନ୍ୟପଟେ ଦଶପଲ୍ଲା ଜନସଭାକୁ ଉଦବୋଧନ ଦେଇ ନବୀନ କହିଛନ୍ତି କି, କାଳିଆ ଯୋଜନା ଆମ ଚାଷୀ ଭାଇଙ୍କ ଯୋଜନା । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ ‘କାଳିଆ’ ଯୋଜନାକୁ କେହି ଅଟକାଇ ପାରିବେନି ବୋଲି ନବୀନ କହିଛନ୍ତି । ଏହାସହ ମହିଳାଙ୍କ ପ୍ରସଙ୍ଗ ନେଇ ନବୀନ କହିଛନ୍ତି ମିଶନଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ଆଉ ମା’ ମାନେ ହିଁ ହେଉଛନ୍ତି ସମାଜର ଶକ୍ତି । ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ରହିଛି , ଆପଣମାନେ ମୋ ପରିବାର , ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ସେବା କରିଚାଲିଥିବି ବୋଲି ନବୀନ କହିଛନ୍ତି ।