ହାଇଟେକ ପ୍ରଚାର ପାଇଁ ବିଜେଡିର ନୂଆ ଫଣ୍ଡା । କାର ନୁହେଁ ସ୍ୱତନ୍ତ୍ର ବସରେ ବୁଲି ପ୍ରଚାର କରିବେ ନବୀନ

478

କନକ ବ୍ୟୁରୋ : ଚଳିତ ଥର ହାଇଟେକ ଉପାୟରେ ପ୍ରଚାର କରିବ ବିଜେଡି । ୨୦୧୪ରେ ବିଜେପି ଯେଉଁଭଳି ହାଇଟେକ ପ୍ରଚାର କରି ସଫଳତା ସାଉଁଟିଥିଲା ତାହା ଠାରୁ ଦୁଇ ପାଦ ଆଗରେ ରହି ପ୍ରଚାର କରିବ ବିଜେଡି । ଚଳିତ ଥର କାର ନୁହେଁ ବସରେ ବୁଲି ପ୍ରଚାର କରିବେ ବିଜେଡି ସୁପ୍ରିମୋ । ହାଇଟେକ ପ୍ରଚାର ପାଇଁ ଏଭଳି ଫଣ୍ଡା ଆପଣାଇଛି ବିଜେଡି । ଚଳିତଥର ବିଜେଡି ସୁପ୍ରିମୋ ପ୍ରଚାରର ମଙ୍ଗ ଧରିଥିବା ବେଳେ ପୂରା ରାଜ୍ୟରେ ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ମାରାଥନ ପ୍ରଚାରକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ବସ ଆଣିଛି ବିଜେଡି ।

ପୂର୍ବ ନିର୍ବାଚନ ଗୁଡିକରେ ବିଜେଡି ସୁପ୍ରିମୋ କାରରେ ରୋଡ ସୋ’ କରୁଥିବା ବେଳେ ଚଳିତ ଥର ପ୍ରଥମ ଥର ପାଇଁ ବସରେ ବୁଲି ପୂରା ରାଜ୍ୟରେ ପ୍ରଚାର କରିବେ ନବୀନ । ଆଉ ଏଥିପାଇଁ ଏକ ସ୍ୱତନ୍ତ୍ର ବସ ଡିଜାଇନ କରାଯାଇଛି । ଯାହା ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏହି ସ୍ୱତନ୍ତ୍ର ବସରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ବଡ ବଡ ଏଲଇଡି ସାଙ୍ଗକୁ ସମ୍ପୂର୍ଣ୍ଣ ବସଟିକୁ ଶୀତ ତାପ ନିୟନ୍ତ୍ରିତ କରାଯାଇଛି । ଏହାଛଡା ପ୍ରଚାର ସମୟରେ ବିଜେଡି ସୁପ୍ରିମୋ ଲୋକଙ୍କ ସହ ଯେପରି ସିଧାସଳଖ ସଂସ୍ପର୍ଶରେ ଆସିପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି । ବସ ମଧ୍ୟରେ ଥିବା କ୍ୟାବିନକୁ ସଭାମଞ୍ଚର ରୂପ ଦିଆଯାଇଛି । ସୁପ୍ରିମୋ ଚାହିିଁଲେ ବସ ମଧ୍ୟରୁ ଲୋକଙ୍କ ଉଦବୋଧନ ଦେଇପାରିବେ । ଏପରିକି ଆବଶ୍ୟକସ୍ଥଳେ ଦଳୀୟ ବୈଠକ ମଧ୍ୟ ବସ ମଧ୍ୟରେ କରାଯାଇପାରିବ । ଏଭଳି ହାଇଟେକ ବ୍ୟବସ୍ଥା ଏହି ବସ ମଧ୍ୟରେ ରହିଛି ।

ଏହାଛଡା ବସଟିରେ ନବୀନ ସରକାରଙ୍କ ବିକାଶର ଛାପ ଦେଖିବାକୁ ମିଳିଛି । ହକି ବିଶ୍ୱକପର ଆୟୋଜନ ଠାରୁ ଆରମ୍ଭ କରି ଗତ ୫ ବର୍ଷ ମଧ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ଛାପ ବସରେ ଦେଖିବାକୁ ମିଳିଛି । ନବୀନ ଏହା ମଧ୍ୟରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଥିବା ବେଳେ ଆଗାମୀ ପ୍ରଚାର ସମୟରେ ଏହି ବସରେ ବିଜେଡି ସୁପ୍ରିମୋଙ୍କୁ ଦେଖିବାକୁ ମିଳିବ । ସମୟ ବଦଳିବା ସହ ବଦଳିଛି, ପ୍ରଚାର କରିବାର ଶୈଳୀ । ବେଶ ସହଜରେ କିଭଳି ଲୋକଙ୍କ ପାଖରେ ପହଞ୍ଚି ହେବ ସେଥିପାଇଁ ଏଭଳି ହାଇଟେକ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଉ ଏଭଳି ହାଇଟେକ ଫର୍ମୁଲାକୁ ଆପଣାଇ ନେଇଛନ୍ତି ବିଜେଡି ସୁପ୍ରିମୋ ।