ବିଜେଡି କର୍ମୀଙ୍କୁ ସାତଖୁନ୍ ମାଫ୍ ! ହକି ଇଣ୍ଡିଆ ଲିଗର ଫାଇନାଲରେ ଷ୍ଟାଡିୟମକୁ ଧସେଇ ପଶିଲେ ବିଜେଡି ନେତା ଓ ସମର୍ଥକ, ହାତ ମାରିଲେନି ସୁରକ୍ଷାକର୍ମୀ

56

କନକ ବ୍ୟୁରୋ : ବିଜେଡି କର୍ମୀଙ୍କୁ ସାତଖୁନ୍ ମାଫ୍ । ବଡ ବଡ ଭିଆଇପିଙ୍କ ପରି ବିଜେଡି କର୍ମୀଙ୍କୁ ସେବା ଦେଇଛି ପୋଲିସ । ଗତକାଲି ବିଶ୍ୱ ହକି ଲିଗର ଫାଇନାଲ ମ୍ୟାଚ୍ ପାଇଁ ସବୁ ଦର୍ଶକଙ୍କୁ କଡା ଯାଂଚ୍ କରାଯାଇଥିବା ବେଳେ ବିଜେଡି କର୍ମୀଙ୍କୁ କିନ୍ତୁ ଏଥିରୁ ବାଦ୍ ଦିଆଯାଇଥିଲା । ପ୍ରାୟ ଶହେ ଜଣ କର୍ମୀ ବେଧଡକ୍ ଷ୍ଟାଡିଅମ ଭିତରେ ପ୍ରବେଶ କଲେ । ପାଖରେ ପୋଲିସ ଥାଇ ବି ଚୁପ୍ ଚାପ୍ ଠିଆହୋଇଥିଲା । ତେବେ ଏହି ଘଟଣାର ସବୁଠାରୁ ବିପଜ୍ଜନକ ଦିଗ ହେଉଛି, ଏହି ଫାଇନାଲ ମ୍ୟାଚରେ ବଡ ଧରଣର ସୁରକ୍ଷା ବ୍ୟବସ୍ଥାରେ ବ୍ୟତିକ୍ରମ ହୋଇଛି ।

CHNIMAYEE_2ରବିବାର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ହକି ଲିଗର ଫାଇନାଲ ଫାଇଟ ଆଜେଣ୍ଟିନା ଓ ଅଷ୍ଟ୍ରେଲିଆ ଭିତରେ ହେବାକୁ ଅଳ୍ପ ସମୟ ବାକି ଥାଏ । ଷ୍ଟାଡିୟମ ଭିତରକୁ ଯାଉଥିବା ଲୋକଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରୁଥାନ୍ତି ପୋଲିସ ଅଧିକାରୀ । ଏପରିକି ଖୁଚୁରା କଏନ ମଧ୍ୟ ଷ୍ଟାଡିୟମ ଭିତରକୁ ଛାଡୁନଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ । ଫଳରେ ଖୁଚୁରା ପଇସାକୁ ବାହାରେ ଫୋପାଡି ଭିତରକୁ ଯାଉଥାନ୍ତି ଲୋକେ । କିନ୍ତୁ ଅନ୍ୟ ଏକ ଗେଟ ପଟେ ବେଧଡକ ବିନା ଯାଞ୍ଚରେ ମାଡିଯାଉଥିଲେ କିଛି ଯୁବକ । ସୁରକ୍ଷା କର୍ମୀ ଏମାନଙ୍କୁ ଯାଞ୍ଚ କରିବା ତ ଦୂରର କଥା ବରଂ କିଛି ନଜାଣିଲା ଭଳି ଚୁପଚାପ ଛିଡା ହୋଇଥିଲା ।

ତେବେ କିଛି ସମୟ ଭିତରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଫାଇନାଲ ମ୍ୟାଚ ଆରମ୍ଭ ହେବାକୁ କିଛି ସମୟ ବାକି ଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚଥିଲେ ଶତାଧିକ ବିଜେଡି କର୍ମୀ । ଅନ୍ୟ ମାନଙ୍କ ପରି ପ୍ରଥମେ ସେମାନଙ୍କର ଯାଞ୍ଚ ଆରମ୍ଭ କରିଥିଲେ ପୋଲିସ ବାବୁ । କିନ୍ତୁ ସେମାନଙ୍କୁ ଯାଞ୍ଚ ନ କରିବାକୁ ପୋଲିସକୁ ଧମକ ଦେଇଥିଲେ ବିଜେଡି କର୍ମୀ । କାରଣ ପାଖରେ ଥିଲେ ବିଜେଡି ନେତା ଚିନ୍ମୟ ସାହୁ । ଆଉ ନେତାଙ୍କୁ ପାଖରେ ପାଇ ଆଇନ କାନୁନ ଭୁଲି ଯାଇଥିଲେ ଶାସକ ଦଳର ଶତାଧିକ କର୍ମୀ । ସୁରକ୍ଷା ଭାଙ୍ଗି ମନଇଚ୍ଛା ଷ୍ଟାଡିୟମ ଭିତରକୁ ମନଇଚ୍ଛା ପଶି ଚାଲିଥିଲେ । ଶାସକ ଦଳ କର୍ମୀ ଓ ନେତାଙ୍କୁ ଦେଖିବା ପରେ ପୋଲିସ ମଧ୍ୟ ନିରୂପାୟ ହୋଇଯାଇଥିଲା । ଚୁପଚାପ ସେମାନଙ୍କ୍ୁ ଯାଞ୍ଚ ନ କରି ଷ୍ଟାଡିୟମ ଭିତରକୁ ଛାଡିଥିଲା ।

CHINMAYEE_03ତେବେ ଏନେଇ ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ଯେଉଁମାନେ ଖେଳ ଦେଖିବାକୁ ଯାଇଥିଲେ ସେମାନେ ସୁରକ୍ଷାକୁ ନେଇ ସଚେତନ । ଏପରିକି ସେହି ଯୁବକମାନେ ଦୀର୍ଘ ୧୦ ଦିନ ଧରି ଖେଳ ଦେଖିବାକୁ ଷ୍ଟାଡିୟମକୁ ଯାଉଥିଲେ ଓ ଖେଳାଳିଙ୍କୁ ଉତ୍ସାହିତ କରୁଥିଲେ । ତେବେ ପ୍ରଶ୍ନ ଉଠୁଛି ଯଦି ଷ୍ଟାଡିୟମ ଭିତରେ କୌଣସି ଅଘଟଣ ଘଟିଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ରହିଥାନ୍ତା । ବୋଧହୁଏ ସେତେବେଳେ ସବୁ ଦୋଷ ପୋଲିସ ଉପରକୁ ଆସିଥାନ୍ତା । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶ୍ନ ଉଠୁଛି ସୁରକ୍ଷା ପ୍ରତି ବିପଦ କେବଳ ସାଧାରଣ ଲୋକେ କରନ୍ତି ନା ନେତା ମାନେ ବି କରନ୍ତି । ନେତାଙ୍କ ଉପରେ ଆମର ସୁରକ୍ଷା କର୍ମୀଙ୍କର ଏତେ ବିଶ୍ୱାସ । କିନ୍ତୁ ସାଧାରଣ ଲୋକଙ୍କ ଉପରେ କାହିଁକି ନାହିଁ । ଏ ଦୁଇ ପ୍ରକାର ସୁରକ୍ଷା ବ୍ୟବସ୍ଥା ଦେଖି ସାଧାରଣ ଲୋକଙ୍କ ଭିତରେ ଏହି ପ୍ରଶ୍ନ ତିଆରି ହେଉଛି । ତେବେ ସୋଭଗ୍ୟବଶତଃ ବିଶ୍ୱ ହକି ଲିଗ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।