ମମତା ବାନାର୍ଜୀଙ୍କ ସମର୍ଥନରେ ବାହାରିଲା ବିଜେଡି ! କହିଲା ସର୍ବୋଚ୍ଚ ସଂସ୍ଥା ଗୁଡିକର ରହୁ ବୃତ୍ତିଗତ ସ୍ୱାଧୀନତା 

1,087

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀଙ୍କ ସମର୍ଥନରେ ବାହାରିଲା ବିଜେଡି । ଆଜି  ଦଳ କହିଛି, ସର୍ବୋଚ୍ଚ ସଂସ୍ଥାଗୁଡିକର ଅଖଣ୍ଡତା ବଜାୟ ରହୁ । ସବୁ ସ୍ଥାନରେ ବୃତ୍ତିଗତ ସ୍ୱାଧୀନତା ରହିବା ଦରାକର । ବିଜେଡି କହିଛି, ପଂଚାୟତ ନିର୍ବାଚନ ପୂର୍ବରୁ ଓ ବର୍ତ୍ତମାନ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇର  ହଠାତ କାର୍ଯ୍ୟାନୁଷ୍ଠାନ  ଅଣପେଶାଦାର ମନୋଭବକୁ ଦର୍ଶାଉଛି । ରୋଜଭ୍ୟାଲି ଓ ଶାରଦା ଚିଟଫଣ୍ଡ ମାମଲାରେ  ଗତକାଲି  କୋଲକାତା ପୋଲିସ କମିଶନରଙ୍କ ଘରେ ସିବିଆଇ ପଶିବାକୁ ନେଇ  ପଶ୍ଚିମବଙ୍ଗରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ମୋଦି ସହ ମୁହାଁମୁହିଁ ହୋଇଛନ୍ତି ମମତା ବାନାର୍ଜୀ ।  ମମତା ଗତକାଲିଠାରୁ ଧାରଣରେ ବି ବସିଛନ୍ତି ।

ସେପଟେ ସଂସଦରେ ପଶ୍ଚିମବଙ୍ଗ ପ୍ରସଙ୍ଗରେ ହଙ୍ଗାମା । ସିବିଆଇ ବନାମ ମମତା ବାନାର୍ଜି ମାମଲାରେ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ହୋହାଲା କରିଛନ୍ତି ବିରୋଧୀ । ଲୋକସଭାରେ ପ୍ରଶ୍ନକାଳ ଚାଲୁଥିବା ସମୟରେ ସିବିଆଇ ବିରୋଧରେ ନାରାବାଜି କରିଛନ୍ତି ବିରୋଧୀ । ସେପଟେ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ହୋହାଲା ଯୋଗୁ ଲୋକସଭା ୧୨ଟା ପର୍ଯ୍ୟନ୍ତ ଓ ରାଜ୍ୟସଭା ୨ଟା ପର୍ଯ୍ୟନ୍ତ ମୂଲତବୀ ରଖାଯାଇଛି ।  ସିବିଆଇର କାର୍ଯ୍ୟକୁ ବିରୋଧ କରି ମମତା ଜାରି ରଖିଥିବା ଧାରଣାକୁ ସମର୍ଥନ କରିଛନ୍ତି ଏକାଧିକ ବିରୋଧୀ ଦଳ ।