ପୋଲାଭରମକୁ ନେଇ ତେଜୁଛି ରାଜନୀତି : ଆଜି ଦଳୀୟ ରଣନୀତି ପ୍ରକାଶ କରିବ ବିଜେଡି

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ, ଆକ୍ସନ ପ୍ଲାନ୍ ପ୍ରକାଶ କରିବ । ପୋଲାଭରମ ପ୍ରକଳ୍ପ ବିରୋଧରେ ଦଳୀୟ ରଣନୀତି କଣ ରହିଛି ସେ ନେଇ ବିଶେଷ ତଥ୍ୟ ପ୍ରକାଶ କରିବ ଦଳ । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ରବି ନନ୍ଦ । ପୋଲାଭରମ ପ୍ରସଙ୍ଗରେ ଗତକାଲି ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ଆନ୍ଧ୍ର ପ୍ରଦେଶରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଯୋଗୁଁ ଓଡିଶାର ୧୫ଟି ରାଜସ୍ୱ ଗ୍ରାମ କ୍ଷତିଗ୍ରସ୍ତ ହେବ । ଏହା ସହ ୬୮୧୮ଟି ପରିବାର ବିସ୍ଥାପିତ ହେବେ ।

ପ୍ରାୟ ଦୁଇ ହଜାରରୁ ଅଧିକ ହେକ୍ଟର ଜମି ଜଳମଗ୍ନ ହେବ । ତେଣୁ ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି ଦଳ । ତେବେ ଗତ ୭ ତାରିଖରେ ଆନ୍ଧ୍ର ପ୍ରଦେଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ- ୨୦୧୪ରୁ ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିସାରିଛି । କେନ୍ଦ୍ର ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ବହନ କରୁଥିବା ବେଳେ ଆନ୍ଧ୍ର ସରକାର ନିର୍ମାଣ କାମ କରିବେ । ଅର୍ଥମନ୍ତ୍ରୀଙ୍କ ଏହି ସ୍ପଷ୍ଟିକରଣ ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।