ଭୋଟ୍ ଗଣତି ପୂର୍ବରୁ ସମର୍ଥନ ନେଇ ଜବାବ୍ ରଖିଲା ବିଜେଡି । କହିଲା, ଓଡ଼ିଶାର ସ୍ୱାର୍ଥକୁ ଯିଏ ଦେଖିବ, ତାକୁ ବିଜେଡି ସମର୍ଥନ କରିବ ।

268

କନକ ବ୍ୟୁରୋ: ଏକଜିଟ୍ ପୋଲର ଆକଳନ ଅନୁସାରେ କେନ୍ଦ୍ରରେ ସରକାର କରିବ ଏନଡିଏ । ଯଦି ଏନଡିଏକୁ ପୂର୍ଣ୍ଣ ବହୁମତ ନମିଳେ , ତେବେ ଦରକାର ପଡିବ ବିଜେଡି ଭଳି ଆଂଚଳିକ ଦଳର ସମର୍ଥନ । ତେବେ ଏପରି ସ୍ଥିତିରେ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ କେନ୍ଦ୍ରୀୟ ନେତାଙ୍କ ନଜର ରହିଛି । ଆଉ ବିଜେଡିର ସ୍ପଷ୍ଟ ଜବାବ ହେଲା, ଯିଏ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେବ ବିଜେଡି ତାକୁ ସମର୍ଥନ ଦେବ ।

ଜାତୀୟ ଗଣମାଧ୍ୟମର ଏକଜିଟ ପୋଲ କହୁଛି, ପୂର୍ଣ୍ଣ ବହୁମତରେ କେନ୍ଦ୍ରରେ ଏନଡିଏ ହିଁ ସରକାର ଗଢିବ । କିନ୍ତୁ ଏକଜିଟ ପୋଲ ଏକଜାଟ ପୋଲ ହୋଇନଥିବାରୁ ହୁଏତ ଏହି ଆକଳନ ଭୁଲ ହୋଇପାରେ । ଆଉ କେନ୍ଦ୍ରରେ ସରକାର ଗଢିବା ପାଇଁ ଏନଡିଏକୁ ଦରକାର ପଡିପାରେ ସଂଖ୍ୟା । କିଛି ଆଂଚଳିକ ଦଳର ସମର୍ଥନ ଲୋଡିପାରେ ଏନଡିଏ । ଏପରି ସ୍ଥିତି ହେଲେ କି ଆଭିମୁଖ୍ୟ ଗ୍ରହଣ କରିବ ବିଜେଡି । ଏନଡିଏ ନା ୟୁପିଏ କୁଆଡେ ଯିବ ବିଜେଡି । ସେପଟେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ଇସାରା ଦେଇ ବିଜେଡି କହିଛି, ଯିଏ ଓଡିଶାର ସ୍ୱାର୍ଥକୁ ଗ୍ରହଣ କରିବ ବିଜେଡି ତାକୁ ସମର୍ଥନ ଦେବ ।

ସେପଟେ ରାଜ୍ୟରେ କଣ ରହିବ କଂଗ୍ରେସର ଆଭିମୁଖ୍ୟ? ଏନେଇ ପ୍ରଶ୍ନ ଉଠିଥିବାବେଳେ କଂଗ୍ରେସର କହିଛି, କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ମୋଦିଙ୍କୁ ଘାରିଛି ସଂଖ୍ୟା ଭୟ । ତେଣୁ ଆଂଚଳିକ ଦଳ ସହିତ ବୁଝାମଣା କରିବାରେ ଲାଗିଛି ବିଜେପି । ଏପଟେ କଂଗ୍ରେସ ନିଜ ସ୍ଥିତି ନେଇ କହିଛି ଦଳ ତୃତୀୟ ସ୍ଥାନକୁ ଯାଇପାରେ । ଏଭଳି ସ୍ଥିତିରେ ବିଜେଡିକୁ ସମର୍ଥନ ଦେବା ନେଇ ଦଳ ବିଚାର କରୁଛି । ତେବେ ଏ ନେଇ ତୂଡାନ୍ତ ନିଷ୍ପତି କେନ୍ଦ୍ରୀୟ ନେତା ନେବେ ।

ଏବେ ସବୁଠୁ ବଡ ପ୍ରଶ୍ନ ହେଉଛି କେନ୍ଦ୍ରରେ କାହାକୁ ମିଳୁଛି ସଂଖ୍ୟା ଗରିଷ୍ଠତା । ଏନଡିଏ ହେଉ କି ୟୁପିଏ, ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ନ ମିଳିଲେ ବିନା ଆଂଚଳିକ ଦଳର ସମର୍ଥନରେ କ୍ଷମତାକୁ ଆସିବା ସେତେଟା ସହଜ ହେବ ନି । ଆଉ ଏତିକିବେଳେ ନବୀନଙ୍କ ଗୁରୁତ୍ୱ ଜାତୀୟ ସ୍ତରରେ ବେଶ ବଢିଯାଉଛି ।