ଯୁବ ବିଜେଡି କାର୍ଯ୍ୟକାରିଣୀରେ ନିଯୁକ୍ତି ନେଇ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ : କହିଲେ ଗତ ତିନି ବର୍ଷରେ ସୃଷ୍ଟି କରାଯାଇଛି ୫ଲକ୍ଷ ନିଯୁକ୍ତି ସୁଯୋଗ

42

କନକ ବ୍ୟୁରୋ : ଯୁବ ବିଜେଡି କାର୍ଯ୍ୟକାରିଣୀରେ ତଥ୍ୟ ନିଯୁକ୍ତି ନେଇ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଶିକ୍ଷା ହିଁ ପ୍ରକୃତ ସଶକ୍ତିକରଣ । ଆମ ଲୋକ ସଂଖ୍ୟାର ଏକ ମୁଖ୍ୟ ଅଂଶ ହେଉଛନ୍ତି ଆମର ଯୁବ ସମାଜ । ଦେଶର ସବୁଠାରୁ ବଡ ଶକ୍ତି ହେଉଛି ଯୁବ ଶକ୍ତି । ତେଣୁ ଯୁବକମାନଙ୍କ ଶକ୍ତିକୁ ରାଜ୍ୟର ବିକାଶରେ ଲଗାଇବା ପାଇଁ ଆମେ ଯୁବନୀତି କରିଛୁ । ନବୀନ କହିଛନ୍ତି ଆମେ କାମରେ ବିଶ୍ୱାସ କରୁ । ଗତ ୩ବର୍ଷରେ ଆମେ ୫ଲକ୍ଷ ନିଯୁକ୍ତି ସୃଷ୍ଟି କରିଛୁ । କେବଳ ସରକାରୀ କ୍ଷେତ୍ରରେ ୫୦ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି । ୨୦୨୫ସୁଦ୍ଧା ୩୦ଲକ୍ଷ ନିଯୁକ୍ତି ସୁଯୋଗ ଆମର ଲକ୍ଷ୍ୟ ।

ଏହି ସଭାରେ ନବୀନ, ବିରୋଧୀଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି । ନାଁ ନନେଇ କହିଛନ୍ତି କିଛି ଦଳ ଓ ନେତା ତାଙ୍କ ବିରୋଧରେ ଚଳାଇଛନ୍ତି ଅପପ୍ରଚାର । ଏହାକୁ ପ୍ରତି ସ୍ତରରେ ବିରୋଧ କରନ୍ତୁ ଓ ଲୋକଙ୍କୁ ସତ କଥା ଜଣାନ୍ତୁ ବୋଲି କହିଛନ୍ତି ନବୀନ । ଜୀବନ ବିନ୍ଦୁ ପରି ସମାଜ ସେବା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯୁବ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତିି । ନବୀନ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ସହ ପରିଚିତ ହୁଅନ୍ତୁ । ଏହାସହ ସୋସିଆଲ ମିଡିଆରେ ସଜାଗ ରହିବା ପାଇଁ ଛାତ୍ର ଓ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମୋ । ନବୀନ କହିଛନ୍ତି ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଲେ, ଲୋକଙ୍କ ସଂଯୋଗରେ ରହି ହେବ ।