ନୟାଗଡ଼ରୁ ବିଜେଡିର ନିର୍ବାଚନୀ ପ୍ରଚାର । ସାଂସଦ ସୌମ୍ୟରଞ୍ଜନ କହିଲେ, ମେ’ ୨୩ ନିର୍ବାଚନୀ ଫଳାଫଳ ଇତିହାସ ରଚିବ ।

156

କନକ ବ୍ୟୁରୋ: ନୟାଗଡ଼ରୁ ଆରମ୍ଭ ହେଲା ବିଜେଡିର ୨୦୧୯ ନିର୍ବାଚନ ପାଇଁ ପ୍ରଚାର । ଉଦଘାଟନ କଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟସଭା ସାଂସଦ ତଥା ବିଜେଡି ଷ୍ଟାର ପ୍ରଚାରକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତେ ଗୋଟିଏ କଥା ଶିଖିବା ଆବଶ୍ୟକ ତାହା ହେଲା କଥା କମ୍ କହି କାମରେ ଦେଖାଇବା ଗୁଣ । ମୁଁ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହି ମନ୍ତ୍ର ଅନୁକରଣ କରେ ବୋଲି କହିଛନ୍ତି ସୌମ୍ୟ ।

ସେହିପରି ବିଜେଡି ସୁପ୍ରିମୋଙ୍କ ନୟାଗଡ଼ ଗସ୍ତ ନେଇ କର୍ମୀ ଓ ସ୍ଥାନୀୟ ଲୋକମାନେ ଉତ୍ସାହିତ ଥିବାବେଳେ ବିଜେଡି ଏହି ଠାରୁ ପ୍ରଚାର ଆରମ୍ଭ କରିଛି । ବିଜେଡି ସୁପ୍ରିମୋ ୨୦୧୯ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇବା ପାଇଁ ନୟାଗଡ଼ରୁ ହିଁ ଶଙ୍ଖ ଫୁଙ୍କିଛନ୍ତି ବୋଲି କହିଛନ୍ତି ସୌମ୍ୟ । କାରଣ ଆସନ୍ତା ମେ’ ୨୩ ତାରିଖରେ ଆସିବାକୁ ଥିବା ଫଳାଫଳ ବିଜେଡି ପାଇଁ ଐତିହାସିକ ହେବ ଯେଉଁଥିରେ ନୟାଗଡ଼ବାସୀଙ୍କ ନାଁ ମଧ୍ୟ ଇତିହାସ ପୃଷ୍ଠାରେ ଲେଖାଯିବ । ସେହିପରି ବିରୋଧୀଙ୍କୁ ନିଶାନା କରି ସୌମ୍ୟ କହିଛନ୍ତି କି, ଆମ ପ୍ରତିଦ୍ୱନ୍ଦୀଙ୍କୁ ଓଡ଼ିଶାବାସୀ ଜବାବ ମାଗିବା ଆବଶ୍ୟକ ଯେ, ବିଜେଡି ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛି ଏବଂ ବିରୋଧୀମାନେ କ’ଣ କହିଥିଲେ ଏବଂ କ’ଣ କରିଛନ୍ତି ।

ପିଲାଙ୍କ ଠାରୁ ମା’ ଏବଂ ବୟସ୍କଙ୍କ ଠାରୁ ଆରମ୍ଭ କରି ଚାଷୀ ଭାଇମାନଙ୍କ ପାଇଁ ଯେଉଁ ଐତିହାସିକ ପଦକ୍ଷେପ ନେଇଛନ୍ତି ନବୀନ, ତାହା ସାରା ଦେଶକୁ ଚକିତ କରିଛି । ତେଣୁ ଏଭଳି ବ୍ୟକ୍ତି ବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ରହିଛି । ସେ ପୁର୍ନବାର ୨୦୧୯ରେ କ୍ଷମତାକୁ ଆସିବେ ବୋଲି କହିଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।