ସାରା ରାଜ୍ୟକୁ ବ୍ୟାପିଲା କୁନ୍ଦୁଲି ନିଆଁ । କଂଗ୍ରେସର ଓଡିଶା ବନ୍ଦ ଡାକରା ଓ ବିଜେପିର ହରତାଳ । ଜୀବନଯାତ୍ରା ପ୍ରଭାବିତ, ବିଜେଡି କହିଲା ପ୍ରଭାବହୀନ

34

କନକ ବ୍ୟୁରୋ: ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରି ଆଜି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଥିବା ବେେଳେ ସଂନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ଦୁଇ ଦଳର ବନ୍ଦ ପାଳନ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି ରାଜ୍ୟ ସରକାର । ଏପରିକି କୌଣସି ସ୍କୁଲ, କଲେଜରେ ପରୀକ୍ଷା ଥିଲେ ତାହା ପରେ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବିଜେପି ଓ କଂଗ୍ରେସ ବନ୍ଦ ପାଳନ କରୁଥିବାବେଳେ କଡା ସୁରକ୍ଷା ବଳୟ ଭିତରେ କାର୍ଯ୍ୟାଳୟକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବନ୍ଦ ଯୋଗୁଁ ସରକାରୀ ଗାଡି ଛାଡି ଆଜି ସଚିବ ମାନେ ସେମାନଙ୍କ ଡ୍ରାଇଭରଙ୍କ ବାଇକ୍ ପଛରେ ବସି ସଚିବାଳୟରେ ପହଁଚିଥିଲେ । ସଚିବମାନଙ୍କୁ ସାଢ଼େ ନଅଟା ସୁଧା ସଚିବାଳୟରେ ପହଁଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟପଟେ ସଚିବାଳୟରେ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସହ ଧସ୍ତାଧସ୍ତା ହୋଇଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ ।

ଅନ୍ୟପଟେ, ଓଡିଶା ବନ୍ଦ ପାଳନକୁ ସମର୍ଥନ ଜଣାଇଛି ମାଓବାଦୀ । ସମର୍ଥନ କରି ଏକ ଅଡିଓ ଟେପ୍ ଜାରି କରିଛି ଲାଲବାହିନୀ । ଟେପରେ କୋରାପୁଟର ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ଦାବି କରାଯାଇଛି । ଏହା ସହିତ ବନ୍ଦକୁ ୧୨ଘଂଟା ପରିବର୍ତେ ୪୮ ଘଂଟା କରିବାକୁ ଟେପ୍ରେ ଆହ୍ୱାନ ଦେଇଛନ୍ତି ମାଓବାଦୀ । କୋରାପୁଟ୍ ସିକାକୁଲମ ଡିଭିଜନର ମାଓ ନେତ୍ରୀ ଅରୁଣା ଏହି ଅଡିଓ ଜାରି କରିଛନ୍ତି ।

tara bahinipati

ସେହିପରି କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତା ଆତ୍ମହତ୍ୟା କରିବା ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀ ପତି । ସେ କହିଛନ୍ତିି ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଦଣ୍ଡ ଦିଆଯାଉ । ଦୋଷୀଙ୍କୁ ଦଣ୍ଡ ନମିଳିଲେ ମାମଲା ଦାୟର କରିବେ ବୋଲି ଚେତାବନୀ ଦେଇଛନ୍ତି ତାରା । ଏପରିକି ସେ କହିଛନ୍ତିି ଦରକାର ପଡିଲେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମଧ୍ୟ ମାମଲା ଦାୟର କରିବେ । ସେପଟେ ବିଜେଡି କହିଲା ବନ୍ଦ ସମ୍ପୂର୍ଣ୍ଣ ପ୍ରଭାବହୀନ । ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି ବିରୋଧୀ ରାଜନୀତି କରୁଛନ୍ତି । ଜନଜୀବନ ପ୍ରାୟ ସ୍ୱାଭାବିକ ଥିଲା ।