ନିର୍ବାଚନ ନଲଢ଼ି କାହିଁକି ପଛଘୁଞ୍ଚା ଦେଉଛନ୍ତି ଧର୍ମେନ୍ଦ୍ର ? ରଣଭୂମିକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେଲା ବିଜେଡି ।

393

କନକ ବ୍ୟୁରୋ: ଧର୍ମେନ୍ଦ୍ରଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଆହ୍ୱାନ ଯଦି ସାହସ ଅଛି ତେବେ ଚଳିତ ନିର୍ବାଚନରେ ଓଡ଼ିଶାରୁ ଲଢ଼ି ଦେଖାନ୍ତୁ । ବାରମ୍ବାର ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଥିବା କଥା କହି ଲୋକଙ୍କୁ ବିଭ୍ରାନ୍ତ ନକରି  ଧର୍ମେନ୍ଦ୍ର ବାବୁ ନିର୍ବାଚନ ଲଢ଼ନ୍ତୁ । ଧର୍ମେନ୍ଦ୍ର ବାବୁ ଯଦି ଆପଣ ଏତେ ଟାଣୁଆନେତା ତେବେ ଏଯାବତ୍ ଓଡ଼ିଶା ବିଜେପି ପ୍ରାର୍ଥୀ ତାଲିକାରେ ଆପଣଙ୍କ ନାଁ କ’ଣ ପାଇଁ ପ୍ରକାଶ କରାଯାଉନି ? ଏହା କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନରେ ପରାଜୟର ଭୟକୁ ଦର୍ଶାଉଛି କି କହି ପ୍ରଶ୍ନ କରିଛନ୍ତି ସସ୍ମିତ ।

ଏପରିକି ୨୦୦୦ ମସିହାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଧରି ପ୍ରଥମଥର ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର । ଏହାପରେ ୨୦୦୪ ମଧ୍ୟ ନବୀନ ବାବୁଙ୍କ ହାତ ଧରି ବିଜୟର ସ୍ୱାଦ ଚାଖିଥିଲେ । କିନ୍ତୁ ୨୦୦୯ ମସିହାରେ ନବୀନ ବାବୁ ହାତ ଛାଡ଼ିବା ପରେ ପରାଜିତ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ୨୦୧୪ ଏବଂ ଚଳିତ ୨୦୧୯ ନିର୍ବାଚନରେ ଲଢ଼ିବାକୁ ସାହସ ଜୁଟାଇ ପାରୁ ନାହାନ୍ତି ଧର୍ମେନ୍ଦ୍ର । ଏପରିକି ଓଡ଼ିଶାରେ ନିର୍ବାଚନ ଲଢ଼ିଲେ ପରାଜିତ ହୋଇ ତାଙ୍କ ସାଂସଦ ପଦଟି ଚାଲିଯିବ ବୋଲି ନିର୍ବାଚନ ଲଢିବାକୁ ସ୍ପଷ୍ଟ କରୁନାହାନ୍ତି ଧର୍ମେନ୍ଦ୍ର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଅନ୍ୟପଟେ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ସସ୍ମିତ କହିଛନ୍ତି କି, କେନ୍ଦ୍ରରେ ଥିବା ବିଜେପି ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଛାତ୍ର ବୃତ୍ତି କାହିଁକି ବନ୍ଦ କଲେ ତାହାର ଉତ୍ତର ରଖନ୍ତୁ । ବାରମ୍ବାର ଓଡ଼ିଶାକୁ ଅବହେଳା କରୁଥିବା ବିଜେପି ସରକାର ଏଭଳି ନାଟକବାଜି କରୁଛନ୍ତି ତାହାକୁ ରାଜ୍ୟବାସୀ ଆଗାମୀ ଦିନରେ ଉତ୍ତର ଦେବେ ବୋଲି କହିଛନ୍ତି ସସ୍ମିତ ପାତ୍ର ।