ବିଜେଡିକୁ ଫେରିଲେ ପ୍ରଭାତ ! ନିଲମ୍ବନ ଆଦେଶ ପ୍ରତ୍ୟାହୃତ କଲେ ବିଜେଡି ସୁପ୍ରିମୋ

65

କନକ ବ୍ୟୁରୋ : ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ଉଠିଲା ନିଲମ୍ବନ । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଉଠାଇଛନ୍ତି । ଅଥତତ୍ତ୍ୱ ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ଦ୍ୱାରା ପ୍ରଭାତ ଗିରଫ ହେବା ପରେ ଦଳରୁ ପ୍ରଭାତଙ୍କୁ ନିଲମ୍ବନ କରାଯାଇଥିଲା । ୨୦୧୪ ଅକ୍ଟୋବରରେ ସିବିଆଇ ତାଙ୍କୁ ଗିରଫ କରିବା ପରେ ପ୍ରଭାତଙ୍କ ହାତ ଛାଡି ଦେଇଥିଲା ଦଳ । ତେବେ କିଛି ଦିନ ଜେଲରେ ରହିବା ପରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଭାତ । ତେବେ ପ୍ରଭାତଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ସିବିଆଇ । କିନ୍ତୁ ସିବିଆଇର ଏହି ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଥିଲେ । ତେବେ ସୁପ୍ରିମକୋର୍ଟରେ ବିଜୟୀ ହେବା ପରେ ପ୍ରଭାତଙ୍କୁ ଦଳକୁ ପୁଣିଥରେ ଫେରାଇ ନେଇଛି ବିଜେଡି ।

ପ୍ରଭାତଙ୍କ ଉପରେ ନିଲମ୍ବନ ଲାଗିଥିଲା ସତ । କିନ୍ତୁ ଏହା କେବଳ ଲୋକଦେଖାଣିଆ ଥିଲା । ନିଲମ୍ବନ ଲାଗିବା ପରେ ମଧ୍ୟ ପ୍ରଭାତଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏପରିକି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରଭାତ ସକ୍ରିୟ ରହିଥିଲେ ।ତେବେ ନିଲମ୍ବନ ସର୍ମ୍ପକରେ ପ୍ରଭାତ କହିଛନ୍ତି, ତାଙ୍କୁ ନିଲମ୍ବନ କରାଯାଇଥିଲା ସତ । କିନ୍ତୁ ସେ ସର୍ବଦା ଦଳ ସହିତ ଥିଲେ ଏବେ ମଧ୍ୟ ଅଛନ୍ତି । ନିଲମ୍ବନ ପରେ ମଧ୍ୟ ସେ ଦଳ ପାଇଁ କାମ କରିଛନ୍ତି ।