ବାପା ଗଲେ, ପୁଅ ଆସିଲେ । ଉପକୂଳର ୩ ହେଭିୱେଟ ନେତାଙ୍କ ଟିକେଟ କାଟିଲେ, ବଦଳରେ ପୁଅଙ୍କୁ ରାଜନୈତିକ ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ।

462

କନକ ବ୍ୟୁରୋ : ଏଥର ବାପା ନୁହେଁ ପୁଅ ପାଇଲେ ଟିକେଟ । ବାପାଙ୍କ ଟିକେଟ କାଟି ପୁଅଙ୍କୁ ଟିକେଟ ଦେଇଛନ୍ତି ବିଜେଡି ସୁପ୍ରିମୋ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୩୬ଟି ବିଧାନସଭା ଆସନ ପାଇଁ ନବୀନ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଉପକୂଳ ଓଡିଶାର ୩ଟି ହାଇପ୍ରୋଫାଇଲ ଆସନରେ ବାପାଙ୍କ ଟିକେଟ କାଟି ପୁଅଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇଛନ୍ତି ବିଜେଡି ସୁପ୍ରିମୋ ।

ଚୌଦ୍ୱାର-କଟକ, ବାଙ୍କୀ ଓ ବାସୁଦେବପୁର ଭଳି ୩ଟି ବିଧାନସଭା ଆସନରେ ଚଳିତ ଥର ହେଭିୱେଟ ବାପାଙ୍କ ବଦଳରେ ମୈଦାନକୁ ଓହ୍ଲାଇବେ ପୁଅ । ଏଥିମଧ୍ୟରୁ ଜଣେ ମନ୍ତ୍ରୀଙ୍କ ପୁଅ ରହିଥିବା ବେଳେ ବାକି ୨ ହେଭିୱେଟ ବିଧାୟକଙ୍କ ପୁଅ ରହିଛନ୍ତି । ଚୌଦ୍ୱାର-କଟକ ଆସନରୁ ବିଧାୟକ ଥିବା ପ୍ରଭାତ ବିଶ୍ୱାଳଙ୍କ ବଦଳରେ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ଦଳ ଟିକେଟ ଦେଇ ମାଷ୍ଟରଷ୍ଟ୍ରୋ ମାରିଛନ୍ତି । ଏହାଦ୍ୱାରା ବିରୋଧୀଙ୍କୁ ଚୁପ କରିବା ସହ ପ୍ରଭାତଙ୍କ ମନ ମଧ୍ୟ ଖୁସ୍ କରିଛନ୍ତି ନବୀନ । ଚିଟଫଣ୍ଡ ମାମଲାରେ ଫଶିଥିବା ଏହି କଟକୀ ନେତାଙ୍କୁ ଟିକେଟ ଦେଇଥିଲେ ବିରୋଧୀ ଏହାକୁ ମୁଦ୍ଦା କରିଥାନ୍ତେ । କିନ୍ତୁ ବିରୋଧୀଙ୍କୁ ଚକମା ଦେଇ ନବୀନଙ୍କ ପ୍ରଭାତଙ୍କ ସ୍ଥାନରେ ପୁଅ ସୌଭିକଙ୍କୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି । ଏହା ପୂର୍ବରୁ ପ୍ରଭାତ ନିଜ ପକ୍ଷରୁ ଆଜି ସକାଳେ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଥିଲେ । ଆଉ ସନ୍ଧ୍ୟାରେ ପ୍ରାର୍ଥୀ ତାଲିକାରେ ପୁଅ ନାଁ ସାମ୍ନାକୁ ଆସିଥିଲା ।

ସମାନ ଫର୍ମୁଲା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପାଇଁ ମଧ୍ୟ ଲାଗୁ କରିଛନ୍ତି ବିଜେଡି ସୁପ୍ରିମୋ । ଚିଟଫଣ୍ଡ ମାମଲାରେ ପ୍ରଭାତଙ୍କ ନାଁ ରହିଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ କରି କୌଣସି ରିସ୍କ ନେବାକୁ ଚାହୁଁନଥିଲା । ଆଉ ଏଭଳି ସ୍ଥିତିରେ ଦଳ ନୂଆ ପ୍ରାର୍ଥୀ ଭାବେ ପ୍ରଭାତଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ମୈଦାନକୁ ଓହ୍ଲାଇଛି । ଦେବୀ ମଧ୍ୟ ଦୀର୍ଘ ଦିନ ହେବ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସକ୍ରିୟ ରଖିଥିଲେ । ଏହାଛଡା ପ୍ରଭାତ ମଧ୍ୟ ଟିକେଟ ଘୋଷଣା ପୂର୍ବରୁ ନିର୍ବାଚନ ଲଢିବେନି ଘୋଷଣା କରି ପୁଅର ରାଜନୈତିକ କ୍ୟାରିୟର ପାଇଁ ପଥ ପରିଷ୍କାର କରିଥିଲେ ।

ସେହିଭଳି ବାସୁଦେବପୁରରୁ ବିଧାୟକ ତଥା ନବୀନ ସରକାରରେ ମନ୍ତ୍ରୀ ଥିବା ବିଜୟଶ୍ରୀ ରାଉତରାୟ ପୁଅ ବିଷ୍ଣୁବତ୍ର ରାଉତରାୟଙ୍କ ରାଜନୈତିକ କ୍ୟାରିୟର ଗଢିବାକୁ ନିଜେ ନିର୍ବାଚନ ଲଢିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏପରିକି ପୁଅ ପାଇଁ ଦୀର୍ଘ ଦିନ ହେବ ରାଜନୈତିକ ମଞ୍ଚ ପ୍ରସ୍ତୁତ କରି ଆସୁଥିଲେ । ନିଜ ବଦଳରେ ପୁଅକୁ ଟିକେଟ ଦେବା ପାଇଁ ନବୀନ ନିବାସରେ ଲବି ମଧ୍ୟ କରିଥିଲେ, ଯାହାକୁ ଆଜି ଗ୍ରୀନ ସିଗନାଲ ଦେଇଛନ୍ତି ନବୀନ । ତେବେ ବାପାଙ୍କ ଆସନରୁ ଟିକେଟ ନେଇ ପୁଅ ମାନେ ନିର୍ବାଚନ ରଣଭୂମିରେ କେତେ ସଫଳ ହୋଇପାରୁଛନ୍ତି ତାହା ଦେଖିବା ବାକି ରହିଲା ।