ସାଢେ ୩ ବର୍ଷ ହେଲା ଦେଖାନଥିଲା, ନିର୍ବାଚନ ବେଳେ  ମନେପଡିଲା । ରାହୁଲଙ୍କ ସମାଲୋଚନାର କଡା ଜବାବ ଦେଲା ବିଜେଡି, କହିଲା, ଭଲ ଭାବେ ତଥ୍ୟ ବୁଝିକି ଆସନ୍ତୁ ରାହୁଲ

ଜୟପୁର ଗସ୍ତରେ ଆସି କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହ ରାଜ୍ୟବାସୀଙ୍କ ମନ ଜିଣିବା ପାଇଁ ସୁନେଲୀ ସ୍ୱପ୍ନ ଦେଖାଇବାକୁ ଭୁଲିନାହାନ୍ତି ।

499
କନକ ବ୍ୟୁରୋ :  ଜୟପୁର ଗସ୍ତରେ ଆସି କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହ ରାଜ୍ୟବାସୀଙ୍କ ମନ ଜିଣିବା ପାଇଁ ସୁନେଲୀ ସ୍ୱପ୍ନ ଦେଖାଇବାକୁ ଭୁଲିନାହାନ୍ତି । ଖାସକରି ମହିଳା ମାନଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ ହୋଇଛନ୍ତି ବୋଲି କହିବା ସହ କଂଗ୍ରେସ ଦଳ ସରକାରକୁ ଆସିଲେ ମହିଳାଙ୍କୁ ପ୍ରାଥମିକତା ଦେବ ବୋଲି କହିଥିଲେ ରାହୁଲ ।
ମହିଳାଙ୍କୁ ଖୁସ୍ କରିବାକୁ ଯାଇ ରାହୁଲ କହିଥିଲେ, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଢେ ତେବେ ପ୍ରତ୍ୟେକ ମହିଳାଙ୍କୁ ମାଗଣା ଶିକ୍ଷା ଦିଆଯିବା ସହ ଗରିବ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏପରିକି ବିଧବା ମହିଳା ମାନଙ୍କୁ ପେନସନ ଅର୍ଥ ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଶୁଣିବା ସହ ନ୍ୟାୟ ଦେବାକୁ ପ୍ରତି ପଞ୍ଚାୟତରେ ଜଣେ ସ୍ୱତନ୍ତ୍ର ଅଫିସର ନିଯୁକ୍ତ କରାଯିବ ବୋଲି କହିଛନ୍ତି ରାହୁଲ । ଏହାସହ ଛୋଟ ବ୍ୟବସାୟ କରୁଥିବା ମହିଳାଙ୍କ ପାଇଁ ଫାଇନାନ୍ସିଆଲ କର୍ପୋରେସନ ଗଠନ କରାଯିବା ନେଇ ସ୍ୱପ୍ନ ଦେଖାଇଛନ୍ତି ରାହୁଲ । ଏହାସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ ।
ରାହୁଲ ଗସ୍ତ ପରେ ଏହା ଉପରେ ଜବାବ ରଖିଛି ବିଜେଡି । ରାଜ୍ୟ ସରକାରଙ୍କ ବିରୋଧରେ ରାହୁଲ ଗାନ୍ଧି ଦେଇଥିବା ଏପରି ମନ୍ତବ୍ୟକୁ କଡା ସମାଲୋଚନା କରିଛି ବିଜେଡି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶାକୁ ପର୍ଯ୍ୟଟନ ଭ୍ରମଣରେ ଆସିବା ବେଳେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ବୁଝିକି ଆସନ୍ତୁ ବୋଲି ପରାମର୍ଶ ଦେଇଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସାଢେ ତିନି ବର୍ଷ ଧରି ଦେଖା ନଥିବା ରାହୁଲ ଗାନ୍ଧିଙ୍କୁ ଏବେ ଓଡିଶା କଥା ମନେପଡୁଛି । ମାତ୍ର ଦୁର୍ଭାଗ୍ୟ ଯେ ଓଡିଶାରେ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କୁ ମାଲୁମ ନାହିଁ ।
ସସ୍ମିତ ଏହା ମଧ୍ୟ କହିଛନ୍ତି କି, କଂଗ୍ରେସ ଅଧ୍ୟକ୍ଷ ବୋଧ ହୁଏ ଜାଣି ନାହାନ୍ତି ଓଡିଶା ଟଲ୍ ମ୍ୟାନ ଭାବେ ପରିଚିତ ସ୍ୱର୍ଗତ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରଥମଥର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ପରବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ରାହୁଲ ଏହା ବୋଧ ହୁଏ ଜାଣି ନାହାନ୍ତି ଓଡିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ୭୦ ଲକ୍ଷ ମହିଳା ସଶକ୍ତ ହୋଇଛନ୍ତି ଏବଂ ମମତା ଯୋଜନାରେ ୪୦ ଲକ୍ଷ ମହିଳା ଉପକୃତ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ନିକଟରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ସମର୍ଥନ ପାଇଁ ୨୨ଟି ରାଜନୈତିକ ଦଲକୁ ଚିଠି ଲେଖିଥିଲେ । ଯାହାକୁ ନେଇ କଂଗ୍ରେସ ଦଳର ନେତାମାନେ ମଧ୍ୟ ଭୁରିଭୁରି ପ୍ରଶଂସା କରିଥିଲେ । ତେଣୁ ଆସନ୍ତା ଥର ରାହୁଲ ଓଡିଶା ଆସିଲେ ସବୁ ତଥ୍ୟ ଜାଣି ଆସିବେ ବୋଲି ବିଜେଡି ଆଶା କରୁଥିବା କହିଛନ୍ତି ସସ୍ମିତ ପାତ୍ର ।