ସଂସଦରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ

47

କନକ ବ୍ୟୁରୋ : ମହାନଦୀ ବିବାଦରେ କେନ୍ଦ୍ର ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରିଥିବାରୁ ବିଜେଡି ସାଂସଦମାନେ ଗୁରୁବାର ଦିନ ଲୋକସଭାରେ ହଟ୍ଟଗୋଳ କରିଛନ୍ତି । ଏହି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ତର ଦାବି କରିଥିଲେ ମଧ୍ୟ ଗୃହରେ ଉପସ୍ଥିତ ଥିବା ମନ୍ତ୍ରୀ କୌଣସି ଉତ୍ତର ଦେଇ ନଥିଲେ ।

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେଡିର ୧୩ଜଣ ସାଂସଦ ବାଚସ୍ପତି ସୁମିତ୍ରା ମହାଜନଙ୍କ ପୋଡିୟମ ନିକଟକୁ ଯାଇ ମହାନଦୀ ପ୍ରସଙ୍ଗରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ଅଣଦେଖା କରୁଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ବାଚସ୍ପତି ଏହାକୁ ଗୃହର ଶୂନ୍ୟକାଳରେ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେବା ପରେ ସାଂସଦମାନେ ନିଜ ଆସନ ନିକଟକୁ ଫେରି ଆସିଥିଲେ ।

ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଉପରେ ଦୋଷାରୋପ କରିଥିଲେ । ସେ କହିଥିଲେ, ଆବଶ୍ୟକ ଅନୁମତି ନଥାଇ ଛତିଶଗଡ଼ ଅନେକ ବ୍ୟାରେଜ ନିର୍ମାଣ କରୁଥିବା ନେଇ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଆଲୋଚନା ସମୟରେ ସ୍ୱୀକାର କରିଛନ୍ତି । କଲମା ବ୍ୟାରେଜର ଗେଟ ବନ୍ଦ କରିବା ପରେ ଓଡ଼ିଶାରେ ସମସ୍ୟା ସୃଷ୍ଟି ହୋଇଛି । ମହାନଦୀର ଜଳକୁ ଛତିଶଗଡ଼ରେ ଅଟକାଯାଉଥିବାରୁ ମୌସୁମୀରେ ମଧ୍ୟ ଓଡ଼ିଶାରେ ମହାନଦୀରେ ଜଳସଙ୍କଟ ଦେଖାଦେଇଛି ।

ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ଦାବି କରିଥିବା ବେଳେ ଗତ ମାସ ୨୫ ତାରିଖରେ ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାର ସୂଚନା ଦେଇଥିଲେ । ଗୃହରେ ମନ୍ତ୍ରୀ ଏସଂପର୍କରେ ତଥ୍ୟ ରଖନ୍ତୁ ବୋଲି ସେ ଦାବି କରିଥିଲେ । ତେବେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ କୌଣସି ଉତ୍ତର ଦେଇନଥିଲେ । ଏହାର ପ୍ରତିବାଦ ଜଣାଇ ବିଜେଡିର ସାଂସଦମାନେ ପୁଣି ଥରେ ବାଚସ୍ପତିଙ୍କ ପୋଡିୟମ ଆଡ଼କୁ ଯାଇ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ୨ଟା ୧୫ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।

‘୬ଟି ବ୍ୟାରେଜ ନିର୍ମାଣ ପାଇଁ ଛତିଶଗଡ଼ କେନ୍ଦ୍ରରୁ ଅନୁମତି ନେଇନାହିଁ’

ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ୬ଟି ଇଣ୍ଡଷ୍ଟ୍ରିଆଲ୍ ବ୍ୟାରେଜ୍ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ନେଇ ନାହିଁ । ଆଜି ଲୋକସଭାରେ ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଡ. ସଂଜୀବ କୁମାର ବ୍ୟାଲାନ୍ । କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ଅନ୍ତର୍ଗତ ବୈଷୟିକ ଉପଦେଷ୍ଟା କମିଟି ଦ୍ୱାରା ଛତିଶଗଡ଼କୁ ମଂଜୁର କରାଯାଇଥିବା ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଦଳସମ୍ପଦ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ୨୦୦୩ରୁ ୨୦୧୬ ପର୍ଯ୍ୟନ୍ତ ଛତିଶଗଡ଼କୁ ୧୫ଟି ପ୍ରକଳ୍ପର ମଞ୍ଜୁରି ଦିଆଯାଇଥିଲା ।

୭ ସେପ୍ଟେମ୍ବର ୨୦୦୩ରେ ମହାନଦୀ ଜଳାଶୟ ପ୍ରକଳ୍ପ ଓ ସୁଦିଆପାତ ଜଳସେଚନ ପ୍ରକଳ୍ପ, ୪ ଅଗଷ୍ଟ ୨୦୦୪ରେ ମନଗରା ଜଳସେଚନ ପ୍ରକଳ୍ପ, ୧୯ ଫେବ୍ରୁଆରୀ ୨୦୦୪ରେ ମିନିମଟ୍ଟା ବାଙ୍ଗୋ ବହୁମୁଖୀ (ସଂଶୋଧିତ) ପ୍ରକଳ୍ପ, ୨୬ ସେପ୍ଟମ୍ବର୨୦୦୭ ମହାନଦୀ ଜଳାଶୟ (ସଂଶୋଧିତ) ପ୍ରକଳ୍ପ, ୨୦ ଜାନୁଆରୀ ୨୦୦୯ରେ କେଲୋ ଜଳସେଚନ ପ୍ରକଳ୍ପ, ୯ ଜୁଲାଇ ୨୦୦୯ ମିନିମଟ୍ଟା ବାଙ୍ଗୋ ବହୁମୁଖୀ (ସଂଶୋଧିତ) ଯୋଜନା, ୨୪ ଅଗଷ୍ଟ ୨୦୦୯ କୋଶିର ଟଡା ଜଳସେଚନ (ସଂଶୋଧିତ) ପ୍ରସ୍ତାବ, ୫ ମେ ୨୦୧୦ରେ କରାନଳା ଜଳସେଚନ ପ୍ରକଳ୍ପ, ଘୁମୁରିଆ ନଲ ଜଳସେଚନ ପ୍ରକଳ୍ପ ଓ ସୁତିଆପଦ ଜଳସେଚନ (ସଂଶୋଧିତ) ପ୍ରକଳ୍ପ, ୬ ଜୁନ୍ ୨୦୧୦ରେ ଖୁରୁଙ୍ଗ ଚେକ୍ ପ୍ରକଳ୍ପ, ୧୬ ସେପ୍ଟମ୍ବର ୨୦୧୦ରେ ମାନିଆରି ଚେକ୍ ପ୍ରକଳ୍ପ, ୨୪ ଜୁଲାଇ ୨୦୧୨ରେ ମିନିମାଟା ବାଙ୍ଗୋପ୍ରକଳ୍ପର ମଞ୍ଜୁରି ଦିଆଯାଇଥିଲା । ଓଡ଼ିଶାର ଅଭିଯୋଗ ଅନୁସାରେ ୧୯ ଜାନୁଆରୀ ୨୦୧୭ରେ ବୁଝାମଣା କମିଟି ଗଠନ କରାଯାଇଥିଲା ।