ମହାନଦୀ ଗଲା ପାର୍ଲାମେଂଟ ! ଲୋକସଭାରେ ବିଜେଡିର ମୁଲତବୀ ପ୍ରସ୍ତାବକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

18

କନକ ବ୍ୟୁରୋ: ସଂସଦ ଗଲା ମହାନଦୀ । ଲୋକସଭାରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ । ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ସାଂସଦମାନେ ସୋମବାର ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ । ହେଲେ ଏହାକୁ ବାଚସ୍ପତି ସୁମିତ୍ରା ମହାଜନ ଆଗ୍ରାହ୍ୟ କରିବା ପରେ ଆଜି ପୁଣିଥରେ ବିଜେଡି ସାଂସଦମାନେ ମୁଲତବୀ ପ୍ରସ୍ତାବ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଛତିଶଗଡ-ଓଡିଶାର ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବା ଦାବିରେ ସଂସଦରେ ହୋହଲ୍ଲା କରିଥିଲେ ସାଂସଦ । ଜଳ ବିବାଦର ସମାଧାନ ଲାଗି ଉଭୟ ଲୋକସଭା ଓ ରାଜ୍ୟସଭାରେ ବାରମ୍ବାର ପ୍ରତିବାଦ କରାଯିବ ବେଲା କହିଛନ୍ତି ସାଂସଦ । ଆଜି ରାଜ୍ୟସଭାରେ ମଧ୍ୟ ମହାନଦୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରିବା ପାଇଁ ବିଜେଡି ସାଂସଦମାନେ ଯୋଜନା କରିଛନ୍ତି । ମହାନଦୀ ଟ୍ରିବ୍ୟୁନାଲ ଗଠନ ଦାବିରେ ସଂସଦରେ ବିଜେଡି ସାଂସଦମାନେ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ପାର୍ଲାମେଂଟ ଷ୍ଟ୍ରିଟ୍ର୍ରେ ୧୪ଟି ରାଜନୈତିକ ଦଳ ସତ୍ୟାଗ୍ରହ କରୁଛି ।  ଏହି ଧାରଣା ଓ ସତ୍ୟାଗ୍ରହ ଜାରି ରହିଥିବା ବେଳେ ଏଥିରେ ବିଜେଡି ସାଂସଦମାନେ ମଧ୍ୟ ଯୋଗ ଦେଉଛନ୍ତି । ମହାନଦୀର ଉପରମୁଣ୍ଡରେ ଛତିଶଗଡ କରୁଥିବା ପ୍ରକଳ୍ପ ବନ୍ଦ କରିବା ଦାବିରେ ସତ୍ୟାଗ୍ରହ କରୁଛନ୍ତି ରାଜନୈତିକ ଦଳ ।

ଆଜି ପୁଣିଥରେ ବିଜେଡି ଲୋକସଭାରେ ପୁଣି ମୁଲତବୀ ପ୍ରସ୍ତାବ ଆଣିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ କହିବା ଅନୁଯାୟୀ ମହାନଦୀ ଜଳବିବାଦ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ବିଜେଡି ଦ୍ୱାରା ଲଗାତାର ପ୍ରତିବାଦ କରାଯିବ । ସାଂସଦମାନେ ଲୋକସଭାରେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ଗୃହରେ ଥାନ୍ତି । ଏଣୁ ସେଦିନଏହି ପ୍ରସଙ୍ଗରେ ସଂସଦ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ସମସ୍ତ ସାଂସଦ ଧାରଣା ଦେବେ ଓ ଲୋକସଭାରେ ଉଠାଯିବ ।