ବିଜେଡି ଅଫିସରୁ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ । ବ୍ୟାପମ ସ୍କାମରେ କଣ ଅଛି ସଂପୃକ୍ତି? ଗ୍ୟାଙ୍ଗଷ୍ଟାର ଟିଟୋକୁ କିଏ ଦେଇଥିଲା ପେଟ୍ରୋଲ ପମ୍ପ

332

କନକ ବ୍ୟୁରୋ: ଧର୍ମେନ୍ଦ୍ରଙ୍କର ବକ୍ତବ୍ୟ ସଇତାନର ବେଦପାଠ ଭଳି, ସେ ନିଜେ କଣ ଆଉ ସେ ବକ୍ତବ୍ୟ ଦେଉଛନ୍ତି କଣ । କିଛି ଏଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଭାଷାରେ କଟାକ୍ଷ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିବା ସହ ତିନୋଟି ମୁଖ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଛି ବିଜେଡି ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ୩ଟି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ତେବେ ଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଥମ ପ୍ରଶ୍ନ ରହିଛି କି, ବ୍ୟାପମ ଦୁର୍ନୀତି ସହିତ ଧର୍ମେନ୍ଦ୍ରଙ୍କର କି ପ୍ରକାର ଆପ୍ରାଧିକ ସଂପର୍କ ରହିଛି ତାହା ପ୍ରଥମେ ସେ ସ୍ପଷ୍ଟ କରନ୍ତୁ । ସୁଧିର ଶର୍ମା ନାମକ ଜଣେ ବ୍ୟକ୍ତି, ଯାହାଙ୍କୁ ବ୍ୟାପମ ଦୁର୍ନିତୀର ମୁଖ୍ୟ ଖଳନାୟକ ବୋଲି କୁହାଯାଏ । ତା ପାଖରୁ ଯେତେବେଳେ କିଛି ଦସ୍ତାବିଜ ଧରା ପଡିଲା, ସେଥିରୁ ଜଣାପଡିଥିଲା କି ସେ କାଳେ ଧର୍ମେନ୍ଦ୍ରଙ୍କୁ ପ୍ଲେନ୍ ଟିକେଟ କିଣି ଆଣି ଦେଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ଧର୍ମେନ୍ଦ୍ର ସ୍ପଷ୍ଟ କରି ପାରିଲେ ନାହିଁ କି ସୁଧିର ଶର୍ମାର ଟଙ୍କା ସହିତ ତାଙ୍କର ସଂପର୍କ ଥିଲା ନା ନାହିଁ । ଏବିଷୟରେ ପାର୍ଲାମେଂଟରେ ବି ଉଠିଥିଲା । କିନ୍ତୁ ଧର୍ମେନ୍ଦ୍ର ମୁହଁ ଲୁଚାଇଲେ । ଏପରିକି ତାଙ୍କର ଇସ୍ତଫା ମଧ୍ୟ ଦାବି କରାଯାଇଥିଲା । ୫ବର୍ଷ ବିତିଗଲା ହେଲେ ଧର୍ମେନ୍ଦ୍ର ପ୍ରଧାନ କାହିଁକି ମୁହଁ ଖୋଲୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି ।

ସେହିପରି ଦ୍ୱିତୀୟ ପ୍ରଶ୍ନ ହେଲା, କୋଇଲା ଦୁର୍ନିତି ସହିତ ଧର୍ମେନ୍ଦ୍ରଙ୍କ କି ପ୍ରକାର ସଂପର୍କ ରହିଛି ତାହା ମଧ୍ୟ ସେ ସ୍ପଷ୍ଟ କରନ୍ତୁ । ଯିଏ କୋଇଲା ମନ୍ତ୍ରାଳୟର ସଚିବ ଥିଲେ, ସେ ୨୦୧୪ରେ ଏକ ବହି ଲେଖିଥିଲେ । ଯାହାକି ତାଙ୍କର ନିଜ ଜୀବନୀ ଉପରେ ଆଧାରିତ । ସେଥିରେ ସେ ଉଲ୍ଲେଖ କରିଥିଲେ କି, ଧର୍ମେନ୍ଦ୍ର ପ୍ରଧାନ କିଭଳି ଭାବରେ ୨୦୦୫ରେ ତାଙ୍କୁ ଆପ୍ରୋଚ କଲେ ଏବଂ ଧମକକାଳୀନ ଭାବରେ ତାଙ୍କୁ କହିଥିଲେ କି ମହାନଦୀର କୋଲ ଫିଲ୍ଡର ଯେଉଁ କୋଇଲା ଆବଂଟନ ରହିଛି ତାକୁ ସେ କିଛି ବ୍ୟକ୍ତିଗତ ଲୋକଙ୍କୁ ସରକାରୀ ରେଟରେ ଦିଅନ୍ତୁ । ତେବେଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଶ୍ନ କି, ଘରୋଇ କଂପାନୀ ଯେଉଁମାନେକି ଶସ୍ତାରେ ମହାନଦୀ କୋଲ ଫିଲ୍ଡ କୋଇଲା ନେବାକୁ ଚାହୁଁଥିଲେ ତାହା ବେଆଇନ । ସେମାନଙ୍କୁ ସେ କାହିଁକି ସୁବିଧା ଯୋଗାଇଦେବାକୁ ଚାହୁଁଥିଲେ ଏବଂ କଂପାନୀମାନଙ୍କ ପାଖରୁ ତାଙ୍କର କି ପ୍ରାପ୍ୟ ପାଇବାକୁ ଥିଲା, ଯେଉଁଥିପାଇଁ ସେ ଏପ୍ରକାର କାର୍ଯ୍ୟ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ।

ତୃତୀୟ ପ୍ରଶ୍ନ ହେଲା, ଗ୍ୟାଙ୍ଗଷ୍ଟାର ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ ଦିଆଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା । ଆଉ ପରବର୍ତ୍ତୀ ସମୟରେ ଯେତେବେଳେ ଏକଥା ସାମନାକୁ ଆସିଥିଲା ସେତେବେଳେ ଧର୍ମେନ୍ଦ୍ର ପ୍ରଧାନ ସିବିଆଇ ତଦନ୍ତର ବାହାନା କରିଥିଲେ । ବର୍ଷେ ହେଲା ସିବିଆଇ ତଦନ୍ତ ଚାଲିଛି ହେଲେ ଆଜି ପର୍ଯ୍ୟନ୍ତ ବିଜେପି କି ଧର୍ମେନ୍ଦ୍ର କି ସିବିଆଇ କି ଆଇଓସିଏଲ ପଦୁଟିଏ ବି କହିଲେନି କି ଏହାପଛର ରହସ୍ୟ କଣ । ତେବେ କୌଣସି ନା କୌଣସି ଜାଗାରେ ଏହି ତିନୋଟି ପ୍ରସଙ୍ଗ ତଥା ବ୍ୟାପମ, କୋଇଲା ଦୁର୍ନୀତି ଏବଂ ଟିଟୋ ସହ ଗଠବନ୍ଧନ ଧର୍ମେନ୍ଦ୍ରଙ୍କର କେତେ ନିବିଡ ଏବଂ କାହିଁକି ନିବିଡ ଥିଲା ତାର ଉତର ଧର୍ମେନ୍ଦ୍ର ପ୍ରଧାନ ଦିଅନ୍ତୁ ବୋଲି ଦଳ ପ୍ରଶ୍ନ କରିଛି ।