କାଲି ଦିଲ୍ଲୀରେ ଗର୍ଜିବ ବିଜେଡି । କୃଷକଙ୍କ ପ୍ରସଙ୍ଗରେ ନବୀନ ଦେଖାଇବେ ଗରମ ମନୋଭାବ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ଦରବାରରେ ବିଶାଳ ସମାବେଶ କରିବ ବିଜେଡ଼ି ।

246

କନକ ବ୍ୟୁରୋ: ଆସନ୍ତାକାଲି ମୋଦିଙ୍କ ଅଞ୍ଚଳରେ ନବୀନ ଦେବେ ରଣ ହୁଙ୍କାର । କୃଷକଙ୍କ ସମସ୍ୟା ନେଇ କାଲି ଦିଲ୍ଲୀରେ ଗର୍ଜିବ ବିଜେଡି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ଦରବାରରେ ବିଶାଳ ସମାବେଶ କରିବ ବିଜେଡ଼ି । ଏହାର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚାଷୀଙ୍କ ହକ୍ ପାଇଁ ଦିଲ୍ଲୀ ଦରବାରରେ ବିକ୍ଷୋଭ କରିବାକୁ ବିଜେଡି ସୁପ୍ରିମୋ ତାଙ୍କର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି ।

ସେପଟେ ଦିଲ୍ଲୀରେ ପହଁଚି ନବୀନ କହିଛନ୍ତି ଯେ, ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକାର ଏମଏସପି ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଆମେ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ଆଲୋଚନା ଏବଂ ଚିଠି ମଧ୍ୟ ଲେଖିଛୁ । କିନ୍ତୁ ଏଯାବତ୍ ଏନେଇ ଚୁପ୍ ବସିଛନ୍ତି କେନ୍ଦ୍ର ସରକାର । ତେଣୁ ଦିଲ୍ଲୀରେ ଆସନ୍ତାକାଲି କୃଷକଙ୍କ ହକ୍ ପାଇଁ ଏକ ବିଶାଳ ସମାବେଶ କରି ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରିବୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

modi and naveenଅନ୍ୟପଟେ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କାଳିଆ ଯୋଜନାକୁ ଲାଗୁ କରି ଆଗାମୀ ସାଧାରଣ ନିର୍ବାଚନ କାର୍ଡ ଖେଳିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସେପଟେ ଦୀର୍ଘ ବର୍ଷ ଧରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି, ସ୍ୱାମୀନାଥମ କମିଟି କରିଥିବା ସୁପାରିଶକୁ ଲାଗୁ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ନିର୍ବାଚନୀ ମୁଦ୍ଦା କରିବାକୁ ଦିଲ୍ଲୀ ଚଲୋ ଡ଼ାକରା ଦେଇଛି ବିଜେଡ଼ି ବୋଲି ବିଭିନ୍ନ ରଜନୀତି ମହଲରେ ଚର୍ଚ୍ଚା ହେଉଛି ।