ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ହରତାଳ! ମେଡିକାଲ ଯିବା ବାଟରୁ ଫେରିଗଲା ଆମ୍ବୁଲାନ୍ସ, ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ସରକାର

44

କନକ ବ୍ୟୁରୋ : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ହରତାଳ କରୁଛି ବିଜେଡି । ଆଜିଠୁ ପର୍ଯ୍ୟାୟ କ୍ରମେ ଜିଲ୍ଲା ସ୍ତରରେ ଏହି ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜୁ ଜନତା ଦଳ । ୭ଟାରୁ ୧୨ଟା ଯାଏଁ ୫ ଘଂଟା ଧରି ରାଜ୍ୟ ବ୍ୟାପି ଆନ୍ଦୋଳନ କରୁଛି ବିଜେଡି । ତେବେ ଅତ୍ୟାବଶ୍ୟକ ସେବାକୁ ଏହି ହରତାଳରୁ ବାଦ୍ ଦିଆଯାଇଛି । ବିଜେଡି ଏହି ହରତାଳକୁ ହକ୍ ପାଇଁ ଲଢ଼େଇ ନାଁରେ ନାମିତ କରିଛି ।

ତେବେ ବିଜେଡି ହରତାଳ ବେଳେ ଆଜି ଭୁବନେଶ୍ୱରରେ ଅସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଛି । ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଜେଡିର ଏହି ହରତାଳରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ଦଳ ଶାନ୍ତିପୂର୍ଣ୍ଣ ହରତାଳ ବୋଲି କହୁଥିଲେ ବି ଭୁବନେଶ୍ୱର ସିଆରପି ଛକରେ ଆମ୍ବୁଲାସନକୁ ଅଟକାଇଛନ୍ତି ହରତାଳ କରୁଥିବା ବିଜେଡି କର୍ମୀ । ଏକରକମ ଗୁଣ୍ଡାରାଜ ଚଳାଇଛନ୍ତି ବିଜେଡି କର୍ମୀ । ଫଳରେ ଡାକ୍ତରଖାନାକୁ ଯାଉଥିବା ରୋଗୀ ହଟହଟା ହୋଇଛନ୍ତି ।

ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଜେଡିର ୫ ଘଂଟିଆ ହରତାଳ ଜାରି ରହିଛି । ବିଜେଡି ନେତା ମାନେ ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ଛକ ମାନଙ୍କରେ ପିକେଟିଙ୍ଗ କରିବା ସହ ଯାନ ବାହନ ଚଳାଚଳକୁ ମଧ୍ୟ ବନ୍ଦ ରଖିଛନ୍ତି । ହରତାଳ ଯୋଗୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବସ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି । ବ୍ୟାଙ୍କ ଓ ସରକାରୀ ଦପ୍ତର ଉପରେ ମଧ୍ୟ ବିଜେଡିର ଏହି ହରତାଳର ପ୍ରଭାବ ଦେଖିବାକୁ ମିଳିଛି ।

ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅସ୍ୱାଭାବିକ ଭାବରେ ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ କରି ଏହି ହରତାଳ କରୁଛି ବିଜେଡି । ହରତାଳ ବେଳେ ଅନେକ ସ୍ଥାନରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତାରୋକ ଓ ଟାୟାର ଜାଳି ରାସ୍ତା ଅବରୋଧ କରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ଅନ୍ୟପଟେ ହରତାଳକୁ ଦୃଷ୍ଟିରେ ରଖି ଆଜି ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ଘୁଂଚାଇ ଦେଇଛନ୍ତି ସରକାର । ବିଜେଡିର ଏଭଳି ହରତାଳ ପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।