ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧିକୁ ବିଜେଡିର ପ୍ରତିବାଦ ! ସୋମବାରଠାରୁ ପ୍ରତି ଜିଲ୍ଲା ସଦର ମହକୁମାରେ କରିବ ଆନ୍ଦୋଳନ

32

କନକ ବ୍ୟୁରୋ : ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରିବ ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ବିରୋଧୀ ଲଢେଇକୁ ଜୋରଦାର କରିବ ବୋଲି ଦଳ କହିଛି । ବିଜୁ ଜନତା ଦଳା ମହିଳା ଓ ଯୁବ ସଂଗଠନ ଆଗାମୀ ସୋମବାର ଠାରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଆନ୍ଦୋଳନ କରିବେ । ବର୍ଦ୍ଧିତ ଦର ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତିନି ବର୍ଷରେ ତେଲ ଦର ସର୍ବାଧିକ ସ୍ତର ଛୁଇଁଥିବାରୁ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ୨୦୧୪ ପରେ ପ୍ରଥମଥର ଲାଗି ଲିଟର ପିଛା ୭୦ ଟଙ୍କା ଟିପିଛି ପେଟ୍ରୋଲ ଦର ।

ଏଥିପାଇଁ କେନ୍ଦ୍ରରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ୨୦୧୪ ଅଗଷ୍ଟରେ ପେଟ୍ରୋଲ ଦର ୮୦ ଟଙ୍କା ପାର କରିଥିଲା । ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶରେ ପେଟ୍ରୋଲ ଦର ସ୍ଥିର ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ କ୍ଷମତାକୁ ଆସିବା ପରଠାରୁ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳଦରକୁ ଦେଖି ସରକାର ତୈଳ କମ୍ପାନିଗୁଡିକୁ ତେଲଦର ଧାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି । ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର କମ ରହିଥିଲେ ମଧ୍ୟ ଭାରତୀୟ ବଜାରରେ ଏହା ତିନିବର୍ଷରେ ସର୍ବାଧିକ ସ୍ତର ଛୁଇଁବା ଚିନ୍ତାର ବିଷୟ ।