ପେଟ୍ରୋଲ ପାଇଁ ରାସ୍ତାକୁ ଓହ୍ଲାଇବ ବିଜେଡି : ଆସନ୍ତା ୨୮ରୁ ୩୦ ପର୍ଯ୍ୟନ୍ତ ବ୍ଲକ ସ୍ତରରେ କେନ୍ଦ୍ର ବିରୋଧୀ ପ୍ରତିବାଦ

28

କନକ ବ୍ୟୁରୋ : ଦେଶରେ ତୈଳ ଦର ଅଣାୟତ ହୋଇପଡିଛି ଯାହାକୁ ନେଇ ଜନଅସନ୍ତୋଷ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ରବିରୋଧୀ ଅନ୍ଦୋଳନ ତେଜୁତିବା ବେଳେ ଓଡିଶାରେ ମଧ୍ୟ ପ୍ରତିବାଦ କରିବା ପାଇଁ ଅଣ୍ଟା ଭିଡିଛି ବିଜୁ ଜନତା ଦଳ । ଏଭଳି ଅହେତୁକ ତୈଳ ଦର ବୃଦ୍ଧିକୁ ଦେଇ ଆସନ୍ତା ୨୮ ତାରିଖ ଦିନ ରାଜ୍ୟର ସମସ୍ତ ବ୍ଲକ, ସଦର ମହକୁମାରେ ଆନ୍ଦୋଳନ କରିବ ବୋଲି ସମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି । କେନ୍ଦ୍ରସରକାରଙ୍କ ଏଭଳି ନୀତି ଯୋଗୁଁ ସବୁ ବର୍ଗର ଲୋକମାନେ ପ୍ରଭାବିତ ହେଉଛନ୍ତି । ବର୍ତ୍ତମାନ ଓଡିଶାରେ ପେଟ୍ରୋଲ ଲିଟର ପିଛା ୭୫ଟଙ୍କା ୯୮ ପଇସାରେ ପହଁଚିଥିବାବେଳେ ଡିଜେଲ ଲିଟର ପିଛା ୭୩ଟଙ୍କା ୨୬ ପଇସାରେ ପହଁଚିଛି । ଯାହାଫଳରେ ଚାଷୀଙ୍କ ଠାରୁ ଆରମ୍ଭ କରି ଖାଉଟି ପର୍ଯ୍ୟନ୍ତ ପ୍ରଭାବିତ ହେଉଛନ୍ତି ବୋଲି ବିଜେଡି କହିଛି ।

bjd

୨୦୧୪ରେ ବିଜେପି କ୍ଷମତାକୁ ଆସିବା ବେଳେ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବେ ହ୍ରାସ ପାଉଥିଲା । ଏବଂ ଆଶା କରାଯାଉଥିଲା ଏହାର ଫାଇଦା ସାଧାରଣ ଜନତା ପାଇ ପାରିବେ । କିନ୍ତୁ ଓଲଟି କେନ୍ଦ୍ରସରକାର ଉତ୍ପାଦ ଶୁଳ୍କ ବୃଦ୍ଧିକରି ଜନତାଙ୍କ ତଣ୍ଟି ଚିପୁଛନ୍ତି କେନ୍ଦ୍ର ସରକାର ବୋଲି ବିଜେଡି ଅଭିଯୋଗ କରିଛି । ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଛି ସେତେବେଳେ କେନ୍ଦ୍ର ସରକାର ତୈଳ ଦର ହ୍ରାସ କରିବା ପରିବର୍ତ୍ତେ ୯ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ନିଜେ ଉତ୍ପାଦ ଶୁଳ୍କକୁ ବୃଦ୍ଧି କରି ଓଲଟି ରାଜ୍ୟ ସରକାରଙ୍କୁ ଭାଟ୍ ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି । ଓଡିଶାରେ ତୈଳ ଉପରେ ଭାଟ୍ ଅନ୍ୟ ରାଜ୍ୟ ଅପେକ୍ଷା କମ୍ ରହିଛି । ତେଣୁ କେନ୍ଦ୍ରର ଏଭଳି ଦୋ ମୁହାଁ ନିତୀ କୁ ବିରୋଧ କରି ପ୍ରତିବାଦ କରିବ ବିଜେଡି । କେନ୍ଦ୍ର ସରକାରଙ୍କ ଛଳନାକୁ ବରଦାସ୍ତ ନ କରି ବିଜେଡି ଖାଉଟିଙ୍କ ସ୍ୱର୍ଥ ପାଇଁ ଉପଯୁକ୍ତ ତୈଳ ଦର ଲାଗୁ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା କହିଛନ୍ତି ।