ଗରିବ ରାଜ୍ୟରେ ଧନୀ ରାଜନୈତିକ ଦଳ ! ହୁ ହୁ ହୋଇ ବଢି ଚାଲିଛି ରାଜନୈତିକ ଦଳର ସମ୍ପତି, ଜାଣନ୍ତୁ କାହାର କେତେ ବଢିଛି ସମ୍ପତି

56

କନକ ବ୍ୟୁରୋ : ହୁ ହୁ ହୋଇ ବଢୁଛି ରାଜନୈତିକ ଦଳର ସମ୍ପତି । ଏଭଳି ଚକିତ କରିଦେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । ଯଦି ବିଜୁ ଜନତା ଦଳ କଥା କହିବା ତେବେ ଗତ ୧୧ ବର୍ଷରେ ବିଜୁ ଜନତା ଦଳର ସମ୍ପତିର ପରିମାଣ ୭୭୨୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୦୫-୦୬ରେ ବିଜେଡିର ମୋଟ ସମ୍ପତ୍ତି ମାତ୍ର ୨୪ ଲକ୍ଷ ଟଙ୍କା ଥିବା ବେଳେ ୨୦୧୫-୧୬ ବେଳକୁ ଏହା ୧୮ କୋଟି ୭୭ ଲକ୍ଷରେ ପହଂଚିଛି, ଯାହାକି ଅନ୍ୟଅର୍ଥରେ ପ୍ରାୟ ୭୭ ଗୁଣ ବଢ଼ିଛି ।

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ ଓ ଓଡ଼ିଶା ଇଲେକସନ୍ ୱାଚ୍ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ବିଜେଡି ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ୧୧ ବର୍ଷର ଆଇଟି ରିଟର୍ଣ୍ଣକୁ ହିସାବକୁ ନେଇ ଏଡିଆର୍ ଏହି ତଥ୍ୟ ପଦାକୁ ଆଣିଛି । ସେହିଭଳି ଏହି ୧୧ ବର୍ଷ ସମୟରେ ବିଜେପିର ସମ୍ପତି ପରିମାଣ ୬୯୯ ପ୍ରତିଶତ ଅର୍ଥାତ୍ ପ୍ରାୟ ୭ ଗୁଣା ବୃଦ୍ଧି ପାଇଛି । ୨୦୦୫-୦୬ରେ ବିଜେପିର ମୋଟ ସମ୍ପତି ମାତ୍ର ୧୧୧ କୋଟି ୮୦ ଲକ୍ଷ ଥିବା ବେଳେ ୨୦୧୫-୧୬ ବେଳକୁ ଏହା ୮୯୩ କୋଟି ୮୮ ଲକ୍ଷରେ ପହଂଚିଛି ।

୧୧ ବର୍ଷରେ କଂଗ୍ରେସର ସମ୍ପତି ୨୩୨ ପ୍ରତିଶତ ଅର୍ଥାତ୍ ପ୍ରାୟ ୨.୩ ଗୁଣ ବୃଦ୍ଧି ପାଇଛି । ୨୦୦୫-୦୬ରେ କଂଗ୍ରେସର ମୋଟ ସମ୍ପତି ୨୨୮.୫୦ କୋଟି ଥିବା ବେଳେ ୨୦୧୫-୧୬ ବେଳକୁ ଏହା ୭୫୮.୭୯ କୋଟିରେ ପହଂଚିଛି ।