ଶାହାଙ୍କୁ ବିଜେଡିର ଜବାବ ! ଶୀର ନାହିଁ ଶୀର ପିଡା କାହିଁକି

7

କନକ ବ୍ୟୁରୋ : ବିଜେଡିର ମୁଖିଆ ହେବା ପାଇଁ ବିଜୁଙ୍କ ଦାୟାଦ ହେବା ଦରକାର ବୋଲି ଗତକାଲି ମନ୍ତବ୍ୟ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଯାହାର ଉତ୍ତର ଦେଇଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ କଡା ସମାଲୋଚନା କରିବା ସହ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଥିଲେ ବିଜେଡି ନେତା ଅରୁଣ ସାହୁ, ସଂଜୟ ଦାଶବର୍ମା ଓ ପ୍ରତାପ ଦେବ । ବିଜେପି ଉଠାଇଥିବା ମୁଦ୍ଦାର ଉତ୍ତର ରଖିଥିଲେ । ଅମିତ ଶାହା ଉଠାଇଥିବା ପରିବାରବାଦ ପ୍ରସଙ୍ଗରେ ଅରୁଣ ସାହୁ କହିଥିଲେ ବିଜୁ ବାବୁ ନିଜ ଜୀବଦଶାରେ ପରିବାରରୁ କାହାକୁ ରାଜନୀତିକୁ ଆଣିନଥିଲେ । ତେଣୁ ଏହି ଉକ୍ତି ଆଦୌ ଗ୍ରହଣୀୟ ନୁହେଁ । ଶାହା ପ୍ରଥମେ ପରିବାର ବାଦର ସଂଜ୍ଞା କଣ ବୁଝନ୍ତୁ ବୋଲି କହିଥିଲେ ଅରୁଣ । ସେ କହିଥିଲେ ରାଜନୀତିରେ ଶାଳୀନତା କେବଳ ନବୀନଙ୍କ ପାଖରୁ ମିଳେ ।

ନବୀନ ବିରୋଧୀ ଦଳ ପାଇଁ କେବେ ମନ୍ତବ୍ୟ ଦିଅନ୍ତି ନାହିଁ । ଓଡିଶାର ପ୍ରଗତି ଓ ଉନ୍ନତି ତାଙ୍କର ଏକମାତ୍ର ଲକ୍ଷ୍ୟ । ନବୀନଙ୍କ ଚାଲିଚଳଣ , ଶିକ୍ଷାଦିକ୍ଷା, ଶିଷ୍ଟାଚାର ଯୋଗୁଁ ସେ ପରବର୍ତ୍ତୀ ପିଢ଼ି ପାଇଁ ଉଦାହରଣ । ବିଜେପିକୁ ଅନୁରୋଧ, ଜଗନ୍ନାଥ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖନ୍ତୁ । ବିଜେପି ନିଜର ପ୍ରତିଦ୍ୱନ୍ଦୀକୁ ସହ୍ୟ କରିପାରୁ ନାହିଁ ବୋଲି କହିଥିଲେ ଅରୁଣ ।

ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗରେ ବି ବିବୃତି ରଖିଛନ୍ତି ସେ । କହିଛନ୍ତି ରାଜ୍ୟକୁ ସଂଘୀୟ ବ୍ୟବସ୍ଥା ଭିତରେ କେନ୍ଦ୍ର ଅନୁଦାନ ଦେଉଛି । କେହି ରାଜ୍ୟକୁ ଦୟା କରୁ ନାହାଁନ୍ତିି । ରାଜ୍ୟର ମାନବ ସମ୍ବଳରୁ କେନ୍ଦ୍ର କର ନିଏ, ପରେ ତାହାର ସୁଷମ ବଣ୍ଟନ କରାଯାଏ । ଏହା କେନ୍ଦ୍ରର ଦାୟିତ୍ୱ । କେନ୍ଦ୍ର ପଛୁଆ ରାଜ୍ୟକୁ ବିକାଶରୁ ବଞ୍ଚିତ କରୁଛନ୍ତି । ତ୍ରୟୋଦଶ ଅର୍ଥ କମିଶନ ଠାରୁ ଚତୁର୍ଦ୍ଦଶ ଅର୍ଥ କମିଶନରେ ଅଧିକ ଅର୍ଥ ଦେବା କଥା କହୁଛନ୍ତି ତାହାର ପରିମାଣ କେତେ । ସମସ୍ତ କେନ୍ଦ୍ରୀୟ ଯୋଜନା ୬୦-୪୦ ଅନୁପାତରେ ଚାଲିଛି । ତେଣୁ ରାଜ୍ୟ ଉପରେ ବୋଝ ପଡୁଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଆହ୍ୱାନ ଦେଇଛନ୍ତି ଅରୁଣ ସାହୁ । କହିଛନ୍ତି ମଂଚ ବାନ୍ଧ, କେନ୍ଦ୍ରମନ୍ତ୍ରୀଙ୍କୁ ବସାଅ। ଆମେ ବି ବସିବୁ, ଉତ୍ତର ଦେବୁ । ସବୁ ହିସାବ କିତାବ ଓଡିଶା ଲୋକ ଜାଣିବା ଦରକାର ବୋଲି ସେ କହିଛନ୍ତି । କେନ୍ଦ୍ର ଓଡିଶାରୁ କେଉଁ ହେଡରୁ କେତେ କର ନେଉଛିି ଏବଂ ଓଡିଶାକୁ ଯାହା ଦେଉଛନ୍ତି ତାହା ଦାନ ନା ପୈତୃକ ସମ୍ପତ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ଅରୁଣ କହିଛନ୍ତି ।

ସେହିପରି ସଂଜୟ ଦାଶବର୍ମା କହିଛନ୍ତି ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ ସହ ବିଜେପିର ସଂପର୍କ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସଂପର୍କର ଖୁଲାସା ହୋଇଛି । ସବୁଠୁ ଉଦବେଗର କଥା ହେଲା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଆକ୍ରମଣ କରାଗଲା, ସେତେବେଳେ କେନ୍ଦ୍ର ନୀରବଦ୍ରଷ୍ଟା ରହିଲା । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଯେଉଁ ରାଜଧର୍ମ ପାଳନ କରିବା କଥା ତାହା କରୁନି ।

ଗୁଜୁରାଟରେ ଯେତେବେଳେ ୨୦୦୨ରେ ସାଂପ୍ରଦାୟିକ ହିଂସା ହୋଇଥିଲା, ସେତେବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ମୋଦିଙ୍କୁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରାଜଧର୍ମ ପାଳନ କରିବାକୁ କହିଥିଲେ । ସେହିପରି ସେ କହିଛନ୍ତି ସ୍ୱାଧିନତାର ଏତେବର୍ଷ ପରେ ଗୋରଖପୁରରେ ଅକ୍ସିଜେନ ଅଭାବରୁ ଶିଶୁ ଜୀବନ ହାରାଇବା ପରେ ବିଜେପିର ମନ୍ତବ୍ୟ ସମସ୍ତେ ଦେଖିଛନ୍ତି ।

ବିଜେପି ସାଶିତ ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏଠାରେ ନବୀନ ୧୭ବର୍ଷ ଧରି ଶାସନ କରୁଛନ୍ତି । ଓଡିଶାରେ ଶାସନ ଗାଦିକୁ ଆସିବାକୁ ଷଡଯନ୍ତ୍ର ଆରମ୍ଭ ହୋଇଛି । ଓଡିଶାର ସ୍ୱାଭିମାନ ପ୍ରତି ଓ ଲୋକପ୍ରିୟ ନେତା ନବୀନଙ୍କ ପ୍ରତି ଯେଉଁ ଶବ୍ଦମାନ ପ୍ରୟୋଗ କରାଯାଉଛି, ତାହାକୁ ନିନ୍ଦା କରିଛି ଦଳ ।

ଅନ୍ୟପଟେ ପ୍ରତାପ ଦେବ କହିଥିଲେ କେନ୍ଦ୍ର ଦେଉଥିଲା କେତେ ଓ ଦେଉଛି କେତେ ଆମେ ବାରମ୍ବାର କହୁଛୁ । ଯୋଜନା କମିଶନ ଅଧିନରେ ସବୁ ହେଉଛି । ଶାହା ମାନୁଛନ୍ତି, ଚତୁର୍ଦ୍ଦଶ କମିଶନ ଅଧିନରେ ସବୁ ମିଳୁଛି । କେନ୍ଦ୍ରର ଦାୟିତ୍ୱ ରାଜ୍ୟକୁ ଦେବାକଥା । ଆମରି ପଇସା ଆମକୁ ଦେଉଛନ୍ତି, କିଛି ସ୍ୱତନ୍ତ୍ର ଅନୁଦାନ ମିଳୁନି । ବରଂ ଯେଉଁ ସ୍ୱତନ୍ତ୍ର ଅନୁଦାନ ମିଳୁଥିଲା ତାହାକୁ ବନ୍ଦ କରାଯାଇଛି ।

ରାଜ୍ୟ ସରକାର କହିଲେ, ଏହାକୁ ରାଜନୀତି କୁହାଯାଉଛି । କୋଷ୍ଟାଲ ହାଇୱେ ଏଯାଏ ଆରମ୍ଭ ହୋଇନି । ଚାଷୀ ଓ ଚାଷୀ ଆତ୍ମହତ୍ୟା ଉଦବେଗଜନକ ରହିଥିବା ବେଳେ ସ୍ୱାମୀନାଥନ କମିଶନ ରିପୋର୍ଟକୁ ଲାଗୁ କରାଯାଉନି । ଏହା ଲାଗୁ କରିବା ପାଇଁ ବିଜେପିର ମାନେଫାଷ୍ଟୋରେ ରହିଥିଲା । ଗ୍ୟାସ ସିଲିଣ୍ଡର ମାଧ୍ୟମରେ ଅଢ଼େଇ କୋଟି ଲୋକ ଉପକୃତ ହେଉଛନ୍ତି ଭଲ କଥା । ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ପ୍ରତାପ । କହିଛନ୍ତି ଖସଡା ପ୍ରସ୍ତୁତ କରି ହିସାବ ଦେବେ କି କେତେ ଲୋକ ଗ୍ୟାସ ସିଲିଣ୍ଡର ରି-ଫିଲିଙ୍ଗ ପାଇଁ ଆସିଛନ୍ତି ।

ବିକାଶ ପାଇଁ କେନ୍ଦ୍ରକୁ ରାଜ୍ୟ ସହାୟତା କରୁନାହାଁନ୍ତିର ଉତ୍ତର ଦେଇ କହିଛନ୍ତି, ଯଦି ରାଜ୍ୟ ସରକାର ଭଲ କାମ କରୁନାହାଁନ୍ତି, କେନ୍ଦ୍ର କାହିଁକି ପୁରସ୍କାର ଦେଉଛି । କିଏ ଠିକ । ମନ୍ତ୍ରୀମଣ୍ଡଳ ନା, ଅମିତ ଶାହା । ଯଦି ଘରେ ଘରେ ଶୌଚାଳୟ ଓ ଗ୍ୟାସ ପହଂଚାଇବା ଅଛେଦିନ ତେବେ ଓଡିଶା ସରକାର ଯେଉଁ ସ୍କିମ କରିଛନ୍ତି ତାହାକୁ କଣ କୁହାଯିବ । ବିଜେପିର ମିଶନ୧୨୦କୁ ନେଇ ବି ସେ ଉତ୍ତର ରଖିଛନ୍ତି । ଶାହା ମଣିପୁର ଓ ୟୁପିର ଉଦାହରଣ ଦେଲେ ଗୋଆ ଓ ପଂଜାବର ଉଦାହରଣ କାହିଁକି ଦେଲେନି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି । ନେତୃତ୍ୱ ପ୍ରସଙ୍ଗକୁ କାହିଁକି ଏଡାଇଗଲେ ବୋଲି ବି ପଚାରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଦାୟିତ୍ୱରେ ଥିବା ବେଳେ ଓଡିଶା ଆଦିବାସୀଙ୍କ ଜୀବନଶୈଳୀରେ କଣ ପରିବର୍ତ୍ତନ ହୋଇଛି ବୋଲି ଜାଣିବାକୁ ଚାହିଁଛନ୍ତି ସେ । ପ୍ରତାପ କହିଛନ୍ତି ଦୋମୁହାଁ କଥା ଚଳିବନି । ୧୨୦ ଉକ୍ତି ତାଙ୍କ ଦଳୀୟ କଥା । କିନ୍ତୁ ଏହା ଗ୍ରହଣୀୟ ନୁହେଁ । ଯେଉଁ ଶୈଳୀରେ ଦୁଇଦିନ ଧରି ଅମିତ ଶାହା ବିବୃତି ଦେଉଛନ୍ତିି ତାହା ଓଡିଶାର ଜନମତକୁ ବିଭ୍ରାନ୍ତ କରିବା ପାଇଁ । ଓଡିଶାର ଲୋକଙ୍କ ଚିନ୍ତାକୁ ବାଟବଣା କରିବାକୁ ଖସଡା ପ୍ରସ୍ତୁତ ହୋଇଛି । ରାଜ୍ୟବାସୀ ଠିକଣା ସମୟରେ ଠିକ ଉତ୍ତର ଦେବେ ବୋଲି ପ୍ରତାପ କହିଛନ୍ତି । ଏହାସହ ଅମିତ ଶାହାଙ୍କ ପୋଡା ଟ୍ରାନ୍ସଫର୍ମରର କଟାକ୍ଷର ବି ଜବାବ ଦେଇଛନ୍ତି । କହିଛନ୍ତି ବିଜୁଳି କେବଳ ବର୍ଷାଦିନେ ଆସେ ହେଲେ ଟ୍ରାନ୍ସଫର୍ମର ୩୬୫ ଦିନ ଚାଲେ ।

ସେହିପରି ବିଜେଡି ସହ ନିର୍ବାଚନରେ ମେଣ୍ଟ ହେବାର ସମ୍ଭାବନା ନଥିବା ଉକ୍ତିକୁ କଟାକ୍ଷ କରିଛି ଦଳ । ଅରୁଣ ସାହୁ କହିଛନ୍ତି, ମେଣ୍ଟ ପାଇଁ ଆମେ କେବେ ଆମନ୍ତ୍ରଣ କରିନୁ । ଶୀର ନାହିଁ ଶୀରପିଡା କାହିିଁକି ବୋଲି ଅରୁଣ କଟାକ୍ଷ କରିଛନ୍ତି ।

Comments are closed.