ମୋଦିଙ୍କୁ ନବୀନଙ୍କ ସିଧା ନିଶାନା ! କହିଲେ, ଦ୍ୱିତୀଥର କ୍ଷମତା ପାଇଁ ଯୋଗ୍ୟ ନୁହଁନ୍ତି ମୋଦି ।

ଗତକାଲି ରାଜ୍ୟ ବିଜେପିକୁ ପ୍ରଶ୍ନ ବାଣରେ ଘାଇଲା କରିବାପରେ ଏବେ ମୋଦିଙ୍କ ଉପରେ ସିଧା ନିଶାନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

800

କନକ ବ୍ୟୁରୋ: ଗତକାଲି ରାଜ୍ୟ ବିଜେପିକୁ ପ୍ରଶ୍ନ ବାଣରେ ଘାଇଲା କରିବାପରେ ଏବେ ମୋଦିଙ୍କ ଉପରେ ସିଧା ନିଶାନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି କି-“ ଦ୍ୱିତୀୟ ପାଳି ପ୍ରଧାନମନ୍ତ୍ରୀ ହେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯଥାର୍ଥତା ନାହିଁ । କାରଣ ବିଗତ ୫ ବର୍ଷ ମଧ୍ୟରେ ମୋଦିଙ୍କ ଶାସନ କାଳରେ ବେକାରୀ, ଜଳସେଚନ ଏବଂ ରେଳବାଇ କ୍ଷେତ୍ରରେ ବିକାଶ ହୋଇ ନାହିଁ। ଏକ ପ୍ରକାର କହିବାକୁ ଗଲେ ମୋଦି ସଫଳ ହୋଇ ପାରି ନାହାନ୍ତି । ତେଣୁ ତାଙ୍କୁ ଦ୍ୱିତୀୟଥର କ୍ଷମତାଭାର ମିଳିବା ପାଇଁ ସେ ଯୋଗ୍ୟ ବିବେଚିତ ନୁହଁନ୍ତି ବୋଲି କହିଛନ୍ତି ନବୀନ ।


ଅନ୍ୟପଟେ କିନ୍ତୁ, ବିଜେପି ନେତା ଅଟଳବିହାରୀ ବାଜପେୟୀଙ୍କୁ ଭାରତର ଅନ୍ୟତମ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବିବେଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ଆଗାମୀ ନିର୍ବାଚନ ଫଳାଫଳ ପରେ ଓଡ଼ିଶାର ଦାବିକୁ ସମର୍ଥନ କରୁଥିବା ଯେ କୌଣସି ପକ୍ଷକୁ ବିଜେଡି ଲୋକସଭାରେ ସମର୍ଥନ କରିବ ବୋଲି ପୁଣି ଥରେ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡ଼ିଶା ଆଉ ଏକ ତ୍ରିପୁରା ହେବ ଯେଉଁଠି ବିଜେପି ସରକାର ଗଢ଼ିବ ବୋଲି ମୋଦି ଦେଇଥିବା ବୟାନକୁ ସ୍ମିତ ହାସ୍ୟ ଦେଇ ନବୀନ କହିଛନ୍ତି କି, ଏହା ତାଙ୍କ (ନରେନ୍ଦ୍ର ମୋଦି) ସ୍ୱପ୍ନରେ । କାରଣ ଏଥର ନିର୍ବାଚନରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ନବୀନ ।

ନିର୍ବାଚନୀ ଋତୁରେ ବିଜେପିକୁ ବିଜେଡି ସୁପ୍ରମୋଙ୍କ ବାରମ୍ବାର ନିଶାନା ବିଜେପି ପାଇଁ ଅଡୁଆ ସୃଷ୍ଟି କରିବାରେ ଲାଗିଛି । କେତେବେଳେ ଓଡ଼ିଶା ବିଜେପିର ଇଂଜିନ୍ ଆଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ବୋଲି ପ୍ରଶ୍ନ କରୁଛନ୍ତି ତ ଆଉ କେତେବେଳେ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ଉପରେ ସିଧା ନିଶାନା କରୁଛନ୍ତି ନବୀନ । ଯାହାକୁ ନେଇ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି ବୋଲି ବିଭିନ୍ନ ମହଲରେ ଶୁଣିବାକୁ ମିଳୁଛି ।