ସୋସିଆଲ ମିଡ଼ିଆରୁ କେନ୍ଦ୍ରକୁ ନବୀନଙ୍କ ଟର୍ଗେଟ । ମୋଦି ସରକାରଙ୍କ ବିରୋଧରେ ଆଣିଲେ ୯ ଦଫା ଅଭିଯୋଗ, କହିଲେ ହକ୍ ମାଗୁଛି ଓଡ଼ିଶା ।

କେନ୍ଦ୍ର ସରକାରଙ୍କ ମନମାନି ଏବଂ ଓଡ଼ିଶା ପ୍ରତି କେତେ ଆନ୍ତରିକତା ରହିଛି ତାହାର ପର୍ଦ୍ଦାଫାସ କରି ୯ ଗୋଟି ବିଫଳତା ଉପରେ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ଢ଼ଙ୍ଗରେ ଆକ୍ରମଣ କରିଛନ୍ତି ନବୀନ ।

332

କନକ ବ୍ୟୁରୋ: ସ୍ୱାଭିମାନି ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ଦେଶରେ ଆଞ୍ଚଳିକ  ଦଳ ମାନଙ୍କ ପ୍ରତି ଲୋକମାନଙ୍କ ସମର୍ଥନ କାହିଁକି ବଢୁଛି ଏହା ପଛର କାରଣ କହିଛନ୍ତି ନବୀନ । ଏହାସହ କେନ୍ଦ୍ର ସରକାରଙ୍କ ମନମାନି ଏବଂ ଓଡ଼ିଶା ପ୍ରତି କେତେ ଆନ୍ତରିକତା ରହିଛି ତାହାର ପର୍ଦ୍ଦାଫାସ କରି ୯ ଗୋଟି ବିଫଳତା ଉପରେ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ଢ଼ଙ୍ଗରେ ଆକ୍ରମଣ କରିଛନ୍ତି ନବୀନ । ଏନେଇ ବିଜେଡ଼ି ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ ନବୀନ ରାଜ୍ୟବାସୀଙ୍କୁ ହକ୍ ମାଗିବାକୁ ଆହ୍ୱାନ ଦେଇଛନ୍ତି ।      

୧.ଜାତୀୟ ରାଜପଥ- ଯଦି ଆପଣ ରାଉରକେଲାରୁ କଟକ ଆସୁଛନ୍ତି ତେବେ ସମ୍ବଲପୁର ପର୍ଯନ୍ତ କିଛି ଅସୁବିଧା ହେବ ନାହିଁ । କାରଣ ଏହା ବିଜୁ ଏକ୍ସପ୍ରେସ ୱେ ଯାହା ସମ୍ପୂର୍ଣ୍ଣ ଚକାଚକ ଏବଂ ଯାତାୟତ କରିବାଯୋଗ୍ୟ ରାସ୍ତା । ସମ୍ବଲପୁର ପରେ ଆପଣ ଆଖି ବନ୍ଦ କରିଲେ ଜାତୀୟ ରାଜପଥର ଅବସ୍ଥା ଜାଣିପାରିବେ । ଯାହାକୁ କେବଳ ଭଗବାନ ଭରସା ବୋଲି କହିଛନ୍ତି ନବୀନ । କାରଣ ବାରିପଦା ଦେଓଗଡ଼ କୋଷ୍ଟାଲ ହାଇ-ୱେର ସମାନ ଅବସ୍ଥା ଦୀର୍ଘ ସାଢ଼େ ଚାରି ବର୍ଷ ବିତିଗଲାଣି କେବେ ଏହା ସମ୍ପୂର୍ଣ୍ଣ ହେବ ତାହାକୁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ ବୋଲି କହିଛନ୍ତି ନବୀନ ।

୨.ଟେଲିକମ- ବର୍ତ୍ତମାନ ସମସ୍ତଙ୍କ ପାଖରେ ମୋବାଇଲ ଫୋନ୍ । ଦୂରଦୂରାନ୍ତ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ସହାୟକ ହୋଇଥାଏ । ହେଲେ ଓଡ଼ିଶାର ଅଧା ଗାଁକୁ ନେଟୱାର୍କ ନାହିଁ  । କେଉଁଠି ଗଛ ଉପରେ ଚଢ଼ିଲେ ସିଗନାଲ ମିଳୁଛି ତ ଆଉ କେଉଁଠି ଛାତ ଉପରକୁ ଗଲେ କଥା ହେବା ସମ୍ଭବପର ହେଉଛି । ଲାଗୁଛି ଯେମିତି ମୋବାଇଲ ସହିତ ଗଛ ଚଢ଼ା ମଧ୍ୟ ଶିଖାଉଛନ୍ତି କେନ୍ଦ୍ର ସରକାର ବୋଲି ପରୋକ୍ଷରେ କଟାକ୍ଷ କରିଛନ୍ତି ନବୀନ । 

୩.ରେଳବାଇ- କେନ୍ଦ୍ର ସରକାର ରେଳବାଇରେ ଉନ୍ନତି ଆଣିଛନ୍ତି ଯାହା କେବଳ ଟ୍ରେନ ଟିକେଟ ଓ ପ୍ଲାଟଫର୍ମ ଟିକେଟ ରେଟ୍ ରେ ଦେଖିବାକୁ ମିଳିଛି । ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳଲାଇନ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ପ୍ରଦାନ କଲେ ଏପରିକି ପ୍ରକଳ୍ପର ଅଧା ବଜେଟ୍ ମଧ୍ୟ ରାଜ୍ୟ ସରକାର ଦେଲେ କିନ୍ତୁ କାମ ଆଗକୁ ବଢୁ ନାହିଁ  । କେନ୍ଦ୍ର ସରକାଙ୍କ ଏହି ରେଳଲାଇନ ସଫଳତାକୁ ଅଗାମୀ ଦିନରେ ପିଲାମାନେ ଇତିହାସ ବହିରେ ପଢ଼ିବେ ବୋଲି କହିଛନ୍ତି ନବୀନ ।

୪. ବ୍ୟାଙ୍କ ସେବା- ବିମୂଦ୍ରୀକରଣରେ ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ । ବ୍ୟାଙ୍କ ଆଗରେ ଲମ୍ବା ଧାଡ଼ି ରହିଲା । ଯାହାକୁ ନେଇ ଘନଘନ ବୈଠକ କରାଇଲେ କିନ୍ତୁ ଏବେ ବି ରାଜ୍ୟର ଅଧା ଗାଁରେ ବ୍ୟାଙ୍କିଂ ସେବା ଅପହଁଚ ରହିଛି । 

୫.କୋଇଲା- ଓଡ଼ିଶାକୁ କୋଇଲା ଖଣି ପାଇଁ ୭୦ ହଜାର କୋଟି ମିଳିବ, ରାଜ୍ୟବାସୀଙ୍କ ଦୁଖଃ ରହିବ ନାହିଁ । କିନ୍ତୁ କେନ୍ଦ୍ର ସରକାର ୩ ବର୍ଷରେ ମାତ୍ର ୩୭୦ କୋଟି ଟଙ୍କା କୋଇଲା ବାବଦରେ ରାଜ୍ୟକୁ ଦେଇଛନ୍ତି । 

୬.ଶସ୍ୟ ବୀମା- ଚାଷୀ ଠିକ୍ ସମୟରେ ଶସ୍ୟ ବୀମା ରାଶି ବା କ୍ଷତି ପୂରଣ ପାଇ ପାରିଲା ନାହିଁ । କେବଳ ଘରୋଇ ବୀମା କମ୍ପାନୀମାନେ ମାଲାମାଲ ହେଲେ । ଅନ୍ୟପଟେ ଚାଷୀ କୂଳ ହତାଶ ହେଲେ ବୋଲି କହି କେନ୍ଦ୍ର ସରକାରଙ୍କୁ ନିଶାନା କରିଛନ୍ତି ନବୀନ ।

୭.ବିଜେପିର ନିର୍ବାଚନ ଇସ୍ତାହାର- ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ରାଜ୍ୟକୁ ସ୍ପେଶାଲ କାଟାଗୋରୀ , ଦେଢ଼ ଗୁଣା ଏମଏସପି ବୃଦ୍ଧି, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କିଛି ହେଲା ନାହିଁ । ସେହିଭଳି ଏସ.ସି, ଏସଟି ଉନ୍ନୟନ ଟଙ୍କା ବନ୍ଦ କରିଦେଲେ ଏପରିକି ଏସ.ସି,ଏସଟି ମେଧାବୃତ୍ତି ପିଲାଙ୍କ ପାଇଁ ଟଙ୍କା ମଧ୍ୟ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର । 

୮.ଉଜ୍ଜ୍ୱଳା- ବଡ଼ ବଡ଼ ହୋଡ଼ିଂରେ ଉଜ୍ଜ୍ୱଳା ପ୍ରଚାର କରି ୩୦ ଲକ୍ଷ ମହିଳାଙ୍କୁ ଗ୍ୟାସ୍ କନେକ୍ସନ ଦିଆଗଲା ବୋଲି କେନ୍ଦ୍ର ସରକାର ଦାବି କଲେ । ଗ୍ୟାସ୍ ରିଫିଲ୍ କେତେଜଣ କରିଛନ୍ତି ତାହାର ହିସାବ କେନ୍ଦ୍ର ପାଖରେ ନାହିଁ । ବର୍ତ୍ତମାନ ଏଲପିଜି ଦର ମୁଣ୍ଡର ବ୍ୟଥା ପାଲଟିଛି । 

୯-ମହାନଦୀ ଓ ପୋଲାଭରମ- ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗରେ ଆଜି ପର୍ଯ୍ୟନ୍ତ ହକ୍ ମାଗୁଛି ଓଡ଼ିଶା । ୨୦୧୫ ବର୍ଷରେ କୋଲ୍ ରୟାଲଟି ରଭିଜନ୍ ଏପର୍ଯ୍ୟନ୍ତ ହେଲାନାହିଁ । ଏହାକୁ ମାତ୍ର ୫ ମିନିଟ୍ ସମୟ ଲାଗିବ କିନ୍ତୁ କରାଗଲାନାହିଁ ଯାହାଫଳରେ ଓଡ଼ିଶାବାସୀ ହଜାର ହଜାର କୋଟି ହରାଇଲେ । 

bjd inତେବେ ମୋଟାମୋଟି କହିବାକୁ ଗଲେ କ୍ଲିନ୍ ଏନର୍ଜି ସେସ୍ ଦ୍ୱାରା ଭାରତ ସରକାରଙ୍କୁ ମିଳିଲା ୨୧ ହଜାର କୋଟି । ଆଉ ଓଡ଼ିଶାକୁ ଟଙ୍କାଟିଏ ବି ମିଳିଲା ନାହିଁ । ଓଡ଼ିଶାର ଖଣି ଏବଂ ଓଡ଼ିଶାର ରେବାଇରୁ ହଜାର ହଜାର କୋଟି ନେଉଛନ୍ତି କେନ୍ଦ୍ର ସରକାର କିନ୍ତୁ ବଜେଟ୍ ରେ ଦେଉଛନ୍ତି କାଣିଚିଏ ଅର୍ଥ । ତେବେ ବିଜୁ ବାବୁଙ୍କ କଥା ଦୋହରାଇ ନବୀନ କହିଛନ୍ତି ଭାରତରେ ସବୁଠାରୁ ପ୍ରଗତିଶୀଳ ରାଜ୍ୟ ଓଡ଼ିଶାକୁ କରିବାକୁ ହେଲେ ଅର୍ଥିକ ସ୍ୱାଧିନତା ଦାବି କରୁଛୁ । ଏପରିକି କୌଣସି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କି କେନ୍ଦ୍ରୀୟ ସହାୟତା ଦରକାର ନାହିଁ । ଆମକୁ ଅର୍ଥିକ ସ୍ୱାଧିନତା ଦିଆଯାଉ ଯାହାଫଳରେ ରାଜ୍ୟର ଉନ୍ନତି କ୍ଷେତ୍ରରେ ସହାୟକ ହେବ ।