କନକ ନ୍ୟୁଜ ମହାପ୍ରଭାବ । ରାଜରାସ୍ତାରେ ନିୟମ ଭାଙ୍ଗିଥିଲେ, ଟ୍ରାଫିକ ଥାନାରେ ଜରିମାନା ଦେଲେ ବିଜେଡି କର୍ମୀ । ଏବେ ପ୍ରଶ୍ନ କଂଗ୍ରେସ କର୍ମୀଙ୍କ ଠାରୁ କେବେ ଫାଇନ୍ ଆଦାୟ କରିବ କମିଶନରେଟ ପୋଲିସ ।

406

କନକ ବ୍ୟୁରୋ : ନିୟମ ଭାଙ୍ଗିଥିଲେ, ସ୍ୱଇଚ୍ଛାରେ ଆସି ଜରିମାନା ଦେଲେ । କନକ ନ୍ୟୁଜରେ ଲଗାତାର ଖବର ପ୍ରସାରଣ ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ନିଦ ଭାଙ୍ଗିଛି । ଆଜି ଟ୍ରାଫିକ ଥାନାରେ ପହଞ୍ଚି ଚାଲାଣ କାଟିଛନ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ବିଜେଡି କର୍ମୀ । ସିସିଟିଭି ଯାଞ୍ଚ ପରେ କିଛି ବାଇକ ଚାଳକଙ୍କ ନିକଟକୁ କମିସନରେଟ ପୋଲିସ ଚାଲାଣ ପଠାଇଥିବା ବେଳେ ଆଉ କିଛି ବାଇକ ଚାଳକ ନିୟମ ଭାଙ୍ଗିଥିବାରୁ ସ୍ୱଇଚ୍ଛାରେ ଜରିମାନା ଦେଇଛନ୍ତି ।

ଏହାପୂର୍ବରୁ ବିଜେଡିର ପ୍ରତିଷ୍ଠା ଦିବସରେ ରାଜରାସ୍ତାରେ ବିନା ହେଲମେଟରେ ରାଲିରେ ଆସି ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିଲେ ଦଳୀୟ କର୍ମୀ ଓ ନେତା । ସେତେବେଳେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବା ତ ଦୂରର କଥା ସେମାନଙ୍କୁ କର୍ଡନ କରି ଆଗକୁ ନେଉଥିଲେ ଟ୍ରାଫିକ ଓ ପୋଲିସ ଅଧିକାରୀ । ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ସାଧାରଣ ଲୋକେ ।

ସାଧାରଣ ଜନତାଙ୍କୁ ସଜା, ଦଳୀୟ ନେତା ଓ କର୍ମୀଙ୍କୁ କଣ ସାତ ଖୁନ୍ ମାଫ୍ । ଯେତେବେଳେ ସାଧାରଣ ଲୋକଟିଏ ନିୟମ ଉଲ୍ଲଂଘନ କଲେ ହଜାର ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡୁଛି ସେତେବେଳେ ଦଳୀୟ ନେତା ଓ କର୍ମୀଙ୍କୁ କାହିଁକି ଛାଡ କରାଯିବ । ନା ଏମାନଙ୍କ ଠାରୁ ଚାଲାଣ କାଟିବାକୁ ସାହସ ଜୁଟାଇ ପାରୁନାହାନ୍ତି ପୋଲିସ ଓ ଟ୍ରାଫିକ ଅଧିକାରୀ । କମିଶନରେଟ ପୋଲିସ ଉପରକୁ କିଛି ଏଭଳି ପ୍ରଶ୍ନବାଣ ମାରିଥିଲେ ସାଧାରଣ ଲୋକେ । ଯେଉଁଥିପାଇଁ କମିସନରେଟ ପୋଲିସ ପକ୍ଷରୁ ଟ୍ୱିଟ୍ କରି ନିୟମ ଉଲ୍ଲଂଘନ କରିଥିବା ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା । କାର୍ଯ୍ୟାନୁଷ୍ଠାନ ପାଇଁ କମିସନରେଟ ପୋଲିସର ଟ୍ୱିଟ କରିବାର ଦୁଇ ଦିନ ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ନାଁରେ ଜାରି ହୋଇଥିଲା ଚାଲାଣ । ଆଉ ଆଜି ଟ୍ରାଫିକ ଥାନାରେ ପହଞ୍ଚି ଜରିମାନା ବାବଦକୁ ଟଙ୍କା ଦେଇଛନ୍ତି ବିଜେଡି କର୍ମୀ ।

କେବଳ ଯେ ବିଜେଡି କର୍ମୀ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ ତାହା ନୁହେଁ ବରଂ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ମଧ୍ୟ ବିରୋଧ ପ୍ରଦର୍ଶନ ବେଳେ ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଘଂନ କରିଥିଲେ । ତେଣୁ ସେମାନଙ୍କ ବିରୋଧରେ ଅନୁରୂପ ଭାବେ କାର୍ଯ୍ୟାନୁଷ୍ଠାନ ନେବ କି କମିଶନରେଟ ପୋଲିସ ।