ବିଜେଡି ଟଙ୍କା ଦେଣନେଣକୁ ନେଇ ରାଜନୈତିକ ଝଡ଼ ! ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍ ପରେ ବିରୋଧୀଙ୍କ ଆକ୍ରମଣ

28

କନକ ବ୍ୟୁରୋ : ବିଜେଡି ନିର୍ବାଚନୀ ପାଣ୍ଠି ଅନିୟମିତା ପ୍ରସଙ୍ଗ ପହଂଚିଛି ହାଇକୋର୍ଟରେ । ସାମାଜିକ କର୍ମୀ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଭାରତୀୟ ନିର୍ବାଚନ କମିଶନଙ୍କୁ ନୋଟିସ କରିଛନ୍ତି କୋର୍ଟ । ଅଭିଯୋଗ ଅନୁସାରେ ବିଜେଡି ନେତାମାନଙ୍କୁ ନିର୍ବାଚନ ଖର୍ଚ୍ଚ ବାବଦରେ ପାର୍ଟି ପକ୍ଷରୁ ଯେଉଁ ଟଙ୍କା ଦିଆଯାଇଛି ଏବଂ ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ନିକଟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତା ଭିତରେ ଏକ ବିରାଟ ଅସଙ୍ଗତି ରହିଛି । ପ୍ରଶ୍ନ ଉଠୁଛି ପାର୍ଟି ଓ ପ୍ରାର୍ଥୀ ଦେଇଥିବା ସତ୍ୟପାଠରେ କାହିଁକି ତାଳମେଳ ରହୁନାହିଁ ?

ସେହିପରି ଦଳକୁ ମିଳୁଥିବା ଅନୁଦାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବିଜେଡି କାର୍ଯ୍ୟାଳୟରେ କାମ କରୁଥିବା ଜଣେ ବ୍ୟକ୍ତି ପ୍ରାୟ କୋଟିଏ ଟଙ୍କା ପାର୍ଟି ଆକାଉଂଟରେ ଜମା କରିଛନ୍ତି । ଯଦିଓ ଦଳ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି ଯେ, ବିଭିନ୍ନ ସୂତ୍ରରୁ ଦଳକୁ ମିଳୁଥିବା ଅନୁଦାନକୁ ସେ ବିଭିନ୍ନ ପର୍ଯ୍ୟାୟରେ ଜମା କରିଛନ୍ତି । ତେବେ କେତେକ ବେନାମୀ ଆକାଉଂଟରୁ କୋଟିକୋଟି ଟଙ୍କା ବିଜେଡି ଆକାଉଂଟକୁ ଟ୍ରାନ୍ସଫର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ସୁବାସ ମହାପାତ୍ର । ଏସବିଆଇ, ଭୁବନେଶ୍ୱର ମେନ ବ୍ରାଂଚ ନାଁରେ ଥିବା ଆକାଉଂଟରୁ ଟଙ୍କା ଟ୍ରାନ୍ସଫର ହୋଇଥିବା ସେ କହିଛନ୍ତି । ଯହାକୁ ନେଇ ବିଜେଡିର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପୂର୍ବରୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ ବିରୋଧୀ ଦଳ ନେତା । ଏବେ ପୁଣି ସେହି ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ ରାଜ୍ୟ ରାଜନୀତିକୁ ସରଗରମ କରିଛି ।