ସଂସଦରେ ନିର୍ବାଚନୀ ପ୍ରସଙ୍ଗ ଉଠାଇବ ବିଜେଡି ! ସ୍ୱତନ୍ତ୍ର ରାଜ୍ୟପାହ୍ୟା, ମହିଳା ସଂରକ୍ଷଣ ଓ ଏମଏସପି ବୃଦ୍ଧି ଦାବିକୁ କରିବ ଜୋରଦାର

69

କନକ ବ୍ୟୁରୋ : ଶୀତ ଅଧିବେଶନରେ ଜୋର ଧରିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି । ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇବ ବିଜେଡି । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ବି ସଂସଦର ଉଭୟ ଗୃହରେ ଦଳ ଉପସ୍ଥାପନ କରିବ । ଏଥିସହ ତିତଲି ସହାୟତା, ଏମଏସପି ଏବଂ ପୋଲାଭରମ ଓ ମହାନଦୀ ପ୍ରସଙ୍ଗକୁ ବି ଗୃହରେ ଉଠାଇବାକୁ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତି ହୋଇଛି ।

ମଙ୍ଗଳବାର ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଏଥର ଦଳର ମୁଖ୍ୟ ପ୍ରସଙ୍ଗ ରହିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି । ସଂସଦର ଉଭୟ ଗୃହରେ ଓଡିଶାକୁ ସ୍ପେଶାଲ କ୍ୟାଟେଗୋରୀ ମାନ୍ୟତା ଦାବି ଉପସ୍ଥାପନ କରିବେ ସାଂସଦ ।

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ବି ବିଜେଡିର ଫୋକସରେ ରହିବ । ପୌର ନିର୍ବାଚନରେ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ କରିବାକୁ ଦାବି କରୁଛନ୍ତି । ଏନେଇ ବିଜେଡି ସାଂସଦ ମାନେ ବିଭିନ୍ନ ଦଳର ନେତାଙ୍କୁ ଭେଟି ଆଲୋଚନା କରିବା ପରେ ଏହି ପ୍ରସଙ୍ଗକୁ ଦୃଢ଼ ଭାବରେ ପାର୍ଲାମେଂଟରେ ଉପସ୍ଥାପନ କରାଯିବ ।

– ଏଥିସହ ଚାଷୀଙ୍କ ଏମଏସପି ବୃଦ୍ଧି ଓ ବେଶ୍ କିଛି ଦିନ ଧରି ଜାରି ରହିଥିବା  ପୋଲାଭରମ ଓ ମହାନଦୀ ବିବାଦ ପ୍ରସଙ୍ଗକୁ ବି ସଂସଦରେ ଉଠାଇବ ବିଜେଡି ।

– ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏଥରର ଅଧିବେଶନ ବେଶ୍ ସରଗରମ ରହିବା ଅନୁମାନ କରାଯାଉଛି ।