ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ଚର୍ଚ୍ଚା ପରେ ବିଜେଡି ରଖିଲା ଜବାବ ! ଦେବୀ ମିଶ୍ର କହିଲେ, କ୍ରସ ଭୋଟିଂ କରିନାହାନ୍ତି ବିଜେଡି ସାଂସଦ

17

କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ନେଇ ସନ୍ଦେହ ଉପୁଜିଛି । ସନ୍ଦେହର କାରଣ ହେଉଛି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମିଳିଥିଲା ୫୨୨ ଜଣ ସଂସଦଙ୍କ ସମର୍ଥନ । କୋବିନ୍ଦଙ୍କୁ ସମର୍ଥନ ଦେଇଥିଲେ ବିଜେଡି ଓ ଜେଡିୟୁ । ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ଏହି ଦୁଇ ଆଂଚଳିକ ଦଳ ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲେ । ଏହା ସତ୍ୱେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭେଙ୍କିୟା ନାଇଡୁଙ୍କୁ ମିଳିଛି ୫୧୬ ସାଂସଦଙ୍କ ସମର୍ଥନ ।

ବିଜେଡି ଓ ଜେଡିୟୁକୁ ବାଦ ଦେଲେ ଭେଙ୍କିୟାଙ୍କୁ ୪୮୫ ସାଂସଦଙ୍କ ସମର୍ଥନ ମିଳିବା କଥା । ତେଣୁ ୩୧ ଜଣ କ୍ରସ ଭୋଟିଂ କରିଥିବା ଆଶଙ୍କା କରାଯାଉଛି । ଏବେ ବଡ଼ ପ୍ରଶ୍ନ ହେଉଛି କିଏ କରିଛି କ୍ରସ ଭୋଟିଂ । ବିଜେଡି ସାଂସଦ କ୍ରସ ଭୋଟିଂ କରିଛନ୍ତି କି? ଯେହେତୁ ଏହି ନିର୍ବାଚନ ସିକ୍ରେଟ୍ ବାଲଟ ଜରିଆରେ ହୋଇଥାଏ । କିଏ କାହାକୁ ଭୋଟ ଦେଇଛନ୍ତି ଜାଣିବା ମୁସ୍କିଲ । ତେବେ ଦଳ ମଧ୍ୟରେ ଏନେଇ ଖୋଳତାଡ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

କ୍ରସ ଭୋଟିଂ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମ ରାଉତ । କେଉଁ ଦଳରେ କ୍ରସ ଭୋଟିଂ ହୋଇଥିବ ଜାଣିନି । ବିବେକ ନୁହେଁ ପଇସା ଲୋଭରେ କିଛି ସାଂସଦ ଭୋଟ ଦେଇଥିବେ । ରାଜନୀତିରେ ବର୍ତ୍ତମାନ

 କ୍ଷମତା ଓ ସଂପତିର ପ୍ରାବଲ୍ୟ ବଢିଛି ବୋଲି କହିଛନ୍ତି ଦାମ ରାଉତ । ସେହିପରି ଦେବୀ ମିଶ୍ର କହିଛନ୍ତି ବିଜେଡିରେ କ୍ରସ ଭୋଟିଂ ହୋଇନି । ଅନ୍ୟ କେଉଁ ଦଳରେ ହୋଇଥିଲେ ହୋଇଥିବ । ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଓଡିଶା ଓ ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ ସନ୍ଦେହ ରହିଛି । ଉଭୟଙ୍କ କଥା ଓ କାମରେ ତାଳମେଳା ନାହିଁ ବୋଲି କହିଛନ୍ତି ନରସିଂହ ।