ସୁବଳଙ୍କ ପରିବାରଙ୍କୁ କିଣିନେଇ ବିଜେଡି କରିଛି ବିଜେପୁର ଡିଲ୍ ! କଂଗ୍ରେସ୍ ଆଣିଲା ସାଂଘାତିକ ଅଭିଯୋଗ

29

କନକ ବ୍ୟୁରୋ : ବାଜିରେ ବିଜେପୁର । ଉପନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ, କିନ୍ତୁ ଦମ୍ ଲଗାଇ ଦେଇଛନ୍ତି ସବୁ ଦଳ । ରାଜନୀତିର ଚାଲିଛି ଗୋଟି ଚାଳନା । ଏହାରି ଭିତରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାରକୁ ନିଜ ଆଡକୁ ଆଣିବା ପାଇଁ ବିଜେଡି ଡିଲ୍ କରିଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ ।

ବିଜେପୁର ମିଶ୍ରଣ ପଛର ସତ କଣ ? ଟଙ୍କା ଦେଇ କିଣିଛି କି ବିଜେଡି ? କେଉଁ ପରିସ୍ଥିତିରେ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାର କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ୩ କୋଟି ଟଙ୍କା ଓ ଭୁବନେଶ୍ୱରରେ ଏକ ଫ୍ଲାଟ ବଦଳରେ ସୁବଳଙ୍କ ପରିବାର ବିଜେଡିକୁ ବିକ୍ରି ହୋଇଛି ।

ସେପଟେ କଂଗ୍ରେସର ଅଭିଯୋଗ ପରେ ସୁବଳ ସାହୁଙ୍କ ପରିବାର ଲୋକେ କହିଛନ୍ତି ସେମାନେ ବିକ୍ରି ହୋଇପାରିବେନାହିଁ । ଆଉ ଏହାରି ଭିତରେ ବିଜେଡି, ବିଜେପୁର ଓ ବିଜୟକୁ ନେଇ ଥ୍ରୀ ବିର ଫର୍ମୁଲା କଥା କହିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ବିଜେପୁର ମୈଦାନରେ ଦଳର ସେନାପତି ଦାୟିତ୍ୱ ପାଇଥିବା ପ୍ରସନ୍ନ ସୁନିଶ୍ଚିତ ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସରଗରମ ହୋଇଉଠିଛି ବିଜେପୁର ରାଜନୀତି । ଆସନ୍ତା କାଲି ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଆଉ ଏ ସବୁ ଭିତରେ ନୀରବ ରହିଥିବା କଂଗ୍ରେସ ଟଙ୍କା କାରବାରର କଥା ଉଠାଇ ଆରୋପ ପ୍ରତ୍ୟାରୋପର ନିଆଁରେ ଘିଅ ଢାଳିଛି ।