ଦିଲ୍ଲୀରେ ପହଂଚିଲା ମହାନଦୀ ପାଇଁ ସଂଗ୍ରାମ ! ସଂସଦ ଭବନ ପରିସର ଗାନ୍ଧିମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

40

କନକ ବ୍ୟୁରୋ: ଦିଲ୍ଲୀରେ ମହାନଦୀ ବଂଚାଅ ଆନ୍ଦୋଳନର ତୃତୀୟ ଦିନ । ସଂସଦ ଭବନ ପରିସର ଗାନ୍ଧି ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେଡି ସାଂସଦ । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ବନ୍ଦ ସହ ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପାଇଁ ସାଂସଦମାନେ ଦାବି କରିଛନ୍ତି ।

ପ୍ଲା କାର୍ଡ ଧରି ବିଜେଡି ସାଂସଦମାନେ ଗାନ୍ଧି ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିଛନ୍ତି । ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନୀରବତାକୁ ବିରୋଧ କରିଛନ୍ତି ବିଜେଡି ସାଂସଦ । ତେବେ ବିଜେଡି ସାଂସଦଙ୍କ ସହ କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ସୂଚନା ମୁତାବକ, ୫ ଦିନିଆ ମହାନଦୀ ବଂଚାଅ ଆନ୍ଦୋଳନ ଦିଲ୍ଲୀର ଜନ୍ତରମନ୍ତରଠାରେ ଆରମ୍ଭ ହୋଇଛି । ଧାରଣା ଓ ସତ୍ୟାଗ୍ରହ ମାଧ୍ୟମରେ କେନ୍ଦ୍ର ଉପରେ ଚାପ ପକାଇବାକୁ ପ୍ରୟାସ କରାଯାଇଛି । ମହାନଦୀ ଜଳବିବାଦର ସମାଧାନ ପାଇଁ ମୋଦି ସରକାରଙ୍କ ଉପରେ ଚାପ ପକାଇବାକୁ ରାଜ୍ୟ ସରକାର ଏହି ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଥିବା କୁହାଯାଉଛି । ଓଡିଶାରୁ ୨ଶହ ଜଣିଆ ପ୍ରତିନିଧିମଣ୍ଡଳି ଦିଲ୍ଲୀରେ ଧାରଣା ଦେଇଛନ୍ତି ।

ସଂସଦର ଉଭୟ ଗୃହର ୭ଶହ ୯୦ଜଣ ସାଂସଦଙ୍କୁ ପତ୍ର ଲେଖାଯାଇ ଆନ୍ଦୋଳନକୁ ସମର୍ଥନ ଓ ସମ୍ବୋଧନ କରିବାକୁ ନିବେଦନ କରାଯାଇଛି । ଏହାସହିତ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଆନ୍ଦୋଳନର ପ୍ରମୁଖ ନେତା ଓ ରାଜନୈତିକ ଦଳର ପ୍ରତିନିଧିମାନେ ଜନ୍ତରମନ୍ତରରୁ ସଂସଦ ଭବନ ପର୍ୟ୍ୟନ୍ତ ପଦଯାତ୍ରାରେ ଯାଇଥିଲେ ।