ଲଢ଼େଇରୁ ଓହରିଲେ ଦିଲୀପ ତିର୍କୀ ! ବୀରମିତ୍ରପୁରରୁ କାହାକୁ ଟିକେଟ୍ ଦେବ ବିଜେଡି, ଦ୍ୱନ୍ଦ୍ୱରେ ନେତା ଏବଂ କର୍ମୀ

255

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୬ଟି ଆସନରେ ବିଜୁ ଜନତା ଦଳ ପକ୍ଷରୁ ସପ୍ତାହକ ଆଗରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ସାରିଛି। ତେବେ ଏପର୍ଯ୍ୟନ୍ତ ବୀରମିତ୍ରପୁର ଆସନ ପାଇଁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କାହାରି ନାମ କୁହାଯାଇନାହିଁ। ତେବେ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ଯେ ଏହି ଆସନରେ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ନାମକୁ ଚୂଡାନ୍ତ କରାଯାଇଥିଲା। କିନ୍ତୁ ଦିଲୀପ ନିର୍ବାଚନ ଲଢିବା ପାଇଁ ରାଜି ହେଉ ନ ଥିବାରୁ ଦଳ ଅଡୁଆରେ ପଡ଼ିଛି। ଶାସକ ଦଳ କାହାରି ନାମ ଘୋଷଣା ନ କରିବା ବୀରମିତ୍ରପୁରର ବିଜେଡି ନେତା ଓ କର୍ମୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

image courtesy – en.wikipedia.org

ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଭାବେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ଓ ଭାରତୀୟ ଜନତା ପାର୍ଟିରୁ ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କ ନାମ ଘୋଷଣା ହୋଇଛି। ସମସ୍ତଙ୍କ ନଜର ରହିଛି ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଉପରେ। ଗତ ୧୮ ତାରିଖ ଦିନ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବୀରମିତ୍ରପୁର ନାମ ନ ଥିଲା। ଏହି ଆସନରେ ଟିକେଟ୍ ପାଇବା ପାଇଁ ଦଳ ପକ୍ଷରୁ ସ୍ଥାନୀୟ ୭ ଜଣ ନେତା ଆଶାୟୀ ଥିଲେ। କିନ୍ତୁ ଦଳ ପକ୍ଷରୁ ଦିଲୀପଙ୍କ ନାମ ପ୍ରସ୍ତାବ ଦିଆଯିବାରୁ ନିର୍ବାଚନମଣ୍ଡଳୀର ସମସ୍ତ ଆଶାୟୀ ବିରୋଧ କରିଥିଲେ। ତେଣୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ବେଳେ ବିଜେଡି ସୁପ୍ରିମୋ କାହାରି ନାମ କହି ନ ଥିଲେ।

 

ତେବେ ଦିଲୀପଙ୍କୁ ବୀରମିତ୍ରପୁର ଯାଇ ପ୍ରାର୍ଥୀପତ୍ର ଦାଖଲ ପାଇଁ ଦଳୀୟ କର୍ମୀମାନଙ୍କୁ ଏକଜୁଟ୍ କରିବାକୁ ପରାମର୍ଶ ଦିଆଯାଇଥିଲା। ଦିଲୀପ ନିର୍ବାଚନ ମଣ୍ଡଳୀର ଆଗ ଧାଡ଼ିର ନେତାମାନଙ୍କ ସହିତ ଆଲୋଚନା କରି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ଦିଲୀପ ମଙ୍ଗଳବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ତାଙ୍କ ସମର୍ଥକମାନେ ମଧ୍ୟ ପ୍ରଚାର କରିଥିଲେ। ତେବେ ତାଙ୍କ ପ୍ରାର୍ଥିତ୍ବକୁ ଭିତରୁ ବିରୋଧ ହେଉଥିବା ଅନୁଭବ କରି ଦିଲୀପ ନିଜେ ନିର୍ବାଚନରୁ ଓହରି ଯାଇଥିବା ପ୍ରଚାର ହୋଇଛି। ଏଭଳି ପ୍ରଚାରରେ କିଛିଟା ସତ୍ୟତା ଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ଦିଲୀପଙ୍କ ବଦଳରେ ବୀରମିତ୍ରପୁରର ଜଣେ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ବିଚାର କରୁଛି। ପ୍ରାର୍ଥୀ ଚୟନ ଲାଗି ଗତକାଲି ନବୀନ ନିବାସରେ ବୈଠକ ହୋଇଥିଲା। କିନ୍ତୁ କାହାରି ନାମ ଚୂଡାନ୍ତ ହୋଇନାହିଁ। ଦିଲୀପଙ୍କୁ ବାଦ୍ ଦେଲେ ବୀରମିତ୍ରପୁରର ପୂର୍ବତନ ବିଧାୟକ ନିହାର ସୁରିନ ବା ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ମକଲୁ ଏକ୍କା ଅଥବା କୁଆରମୁଣ୍ଡା ଲ୍ୟାମ୍ପ୍ସ ଏମ୍ଡି ରଣଜିତ ଲାକ୍ରାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି କୁହାଯାଉଛି।

Comments are closed.