ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାରେ ଛିଡାକଲେ ସାଂସଦ : ଦଳରେ ସୃଷ୍ଟିକଲା କମ୍ପନ

46

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଉପରେ ପ୍ରଶ୍ନ ଉଠାଇଲେ ସାଂସଦ ତଥାଗତ ଶତପଥି। ଗୋଟିଏ ପଟେ ଆଜି ପୋଲାଭରମ ପ୍ରକଳ୍ପ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛି ବିଜେଡି । ଅନ୍ୟ ପଟେ ତଥାଗତଙ୍କ ମହାନଦୀ ଜଳ ବିବାଦ ନେଇ ଏଭଳି ମନ୍ତବ୍ୟ ଦଳରେ କମ୍ପନ ସୃଷ୍ଟି କରିଛି ।

‘ଧରିତ୍ରୀ’ ଦୈନିକ ଖବରକାଗଜର ସଂପାଦକୀୟରେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଜଳସଂପଦ ବିଭାଗକୁ କଡ଼ା ସମାଲୋଚନା କରିଛନ୍ତି । ସେ ତାଙ୍କ ସଂପାଦକୀୟରେ ଲେଖିଛନ୍ତି, ୧୯୮୦ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଜଳସଂପଦ ବିଭାଗ କେବଳ କେନାଲ ନିର୍ମାଣ କରିବା ପାଇଁ ଠିକାଦାରମାନଙ୍କୁ ପୋଷୁଛି ।ଜଳସଂପଦର କିଭଳି ସୁରକ୍ଷା କରାଯିବ, ଏହା ଉପରେ ଆଦୌ ଧ୍ୟାନ ଦେଇନାହିଁ । ଖୋଦ ମୁଖ୍ୟମନ୍ତ୍ରୀ ବିଭାଗର ଦାୟିତ୍ୱରେ ରହିଛନ୍ତି, ହେଲେ ମନେ ହେଉଛି ଯେପରି ଏହି ବିଭାଗର କେହି ବାପା ମାଆ ନାହାନ୍ତି ।

ତଥାଗତ ତାଙ୍କ ଲେଖାରେ ସମାଲୋଚନା କରି କହିଛନ୍ତି ଯେ ଏପରି ଗୁଜବ ବି ହେଉଛି, ବିଭାଗର ସଚିବମାନେ ସବୁ ବିଷୟରେ ଅବଗତ ଥାଇ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ କାମ ଚାଲିଥିବା ବେଳେ ଏହାକୁ ପ୍ରତିବାଦ କରିନାହାନ୍ତି । କେବଳ ଠିକାଦାରଙ୍କୁ ପୋଷିବା କାମ କରିଛି ଜଳସଂପଦ ବିଭାଗ । ରାଜ୍ୟର ହିତକୁ ଆଦୌ ଧ୍ୟାନ ଦିଆଯାଇନାହିଁ । ତଥାଗତଙ୍କ ଏଭଳି ସମାଲୋଚନାରେ ପ୍ରତିକ୍ରିୟା ରଖିଛି ବିଜେଡି ।