ଚାପୁଡା ନା ଚନ୍ଦନ ? କିଏ କହୁଛି ସତ: ସାଂସଦ ନା ସୋସିଆଲ ମିଡିଆ ? ଚାପୁଡା ନେଇ ସାଂସଦ-ସମର୍ଥକଙ୍କ ଦ୍ୱନ୍ଦ୍ୱଭରା ବୟାନ

264

କନକ ବ୍ୟୁରୋ: ସଭା ଚାଲିଥିଲା, ସଦସ୍ୟଙ୍କୁ ସମ୍ପର୍ଦ୍ଧିତ ବି କରାଯାଉଥିଲା । ହେଲେ ହଠାତ ଜଣଙ୍କ ଗାଲରେ ବାଜିଥିଲା ଶକ୍ତ ଚାପୁଡା । ମଞ୍ଚରେ ଥିବା ଜଣେ ସମର୍ଥକଙ୍କ ଗାଲରେ ବାଜିଥିଲା ସାଂସଦଙ୍କ ଚାପୁଡା । ଆଉ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ବ୍ରହ୍ମପୁର ସାଂସଦଙ୍କ ବ୍ରହ୍ମ ଚାପୁଡାର ଦୃଶ୍ୟ । ବାସ୍ ତା ପରଠୁ ରାଜ୍ୟର ଚର୍ଚ୍ଚିତ ଖବର ପାଲଟି ଯାଇଥିଲା ଚନ୍ଦ୍ରଶେଖରଙ୍କ ଚାପୁଡା । ସବୁ ଟିଭି ସ୍କ୍ରିନର ବ୍ରେକିଂ ନ୍ୟୁଜ୍ ପାଲଟିଗଲା ଚନ୍ଦ୍ରଙ୍କ ଚାପୁଡା ଚିତ୍ର ।

ତେବେ ଚନ୍ଦ୍ରଙ୍କ ଚାପୁଡା ଭିଡିଓର ଭିତିରି କଥା ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିବା ବେଳେ ଚାପୁଡା ନେଇ ରାମ ବିଷ୍ଣୁ କହୁନଥିଲେ ଚନ୍ଦ୍ରଶେଖର । ଗୋଟିଏ ପଟେ ସାଂସଦ, ସାମ୍ବାଦିକଙ୍କ ପ୍ରଶ୍ନକୁ ବାରମ୍ବାର ଏଡାଇ ଚାଲିଥିଲେ ଆଉ ଅନ୍ୟପଟେ ବିଜେଡିର ବଡ ବଡ ନେତା ମଧ୍ୟ ଏ ବାବାଦରେ ମୁହଁ ଫିଟାଉନଥିଲେ । ତେବେ ଏସବୁ ଭିତରେ ହଠାତ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ଚାପୁଡା ଖାଇଥିବା କର୍ମୀ ସଂଗ୍ରାମ ସାହୁ । ସାଂସଦ ତାଙ୍କୁ ଚାପୁଡା ମାରି ନାହାନ୍ତି ବରଂ ଏହା ବିରୋଧୀଙ୍କ ଷଡଯନ୍ତ୍ର ବୋଲି ସଂଗ୍ରାମ ସଫେଇ ଦେଇଥିଲେ ।

ସବୁଠାରୁ ବଡ କଥା ହେଉଛି ସଂଗ୍ରାମଙ୍କ ସଫେଇ ପରେ ପରେ ମିଡିଆ ଆଗରେ ଚାପୁଡା ଉପାଖ୍ୟାନ ଶୁଣାଇଥିଲେ ଖୋଦ ଚନ୍ଦ୍ରଶେଖର । ସେ ରାଗିଯାଇଥିଲେ ସତ ହେଲେ ଚାପୁଡା ମାରି ନଥିଲେ । ଆଉ ଚାପୁଡା ନୁହେଁ ବରଂ ତାଙ୍କ ଗାଲକୁ ଠେଲି ଦେଇଥିଲେ ବୋଲି ଚତୁରତାର ସହ ଉତ୍ତର ଦେଇଥିଲେ ଚନ୍ଦ୍ରଶେଖର ।

ତେବେ ସକାଳ ପହରୁ ଚର୍ଚ୍ଚାରେ ଥିବା ଚନ୍ଦ୍ରଙ୍କ ଚାପୁଡା ଚିହ୍ନ ସଞ୍ଜରେ ଲିଭିଯିବା ପରେ ସାଧାରଣ ଲୋକଙ୍କ ମନରେ ହଜାର ପ୍ରଶ୍ନ ଉଙ୍କି ମାରିଛି । ଚାପୁଡା ନେଇ କିଏ ସତ କହୁଛି । ସାଂସଦ ନା ସୋସିଆଲ ମିଡିଆ ? ଭିଡିଓରେ ସ୍ପଷ୍ଟ ଦିଶୁଥିବା ଚାପୁଡା ଚିତ୍ର କଣ ମିଛ? ଯଦି ଚାପୁଡା ମିଛ ତେବେ ଗଣମାଧ୍ୟମର ସାମ୍ନା କାହିଁକି କଲେନି ସାଂସଦ? ସେପଟେ ସାଂସଦଙ୍କ ଶକ୍ତ ଚାପୁଡା ଖାଇବା ପରେ ବି ଏତେ ସୁନ୍ଦର ଭାବେ ସଂଗ୍ରାମ ଗଣମାଧ୍ୟମ ଆଗରେ ସଫେଇ ଦେବା ପରେ ଏହା ଚାପୁଡା ନା ଚନ୍ଦନ ବୋଲି ଲୋକେ ଦ୍ୱନ୍ଦ୍ୱରେ ।